Unknown

 

 

 

 

 

 

 

 

 

 

 

ସମସ୍ୟା ସମାଧାନ

ଶ୍ରୀ ଉଦୟନାଥ ମିଶ୍ର

 

ସମସ୍ୟା ସମାଧାନ

 

ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସକ୍ଲବଦ୍ୱାରା ଖଣ୍ଡପଡ଼ାରେ, ସାମନ୍ତ ଚନ୍ଦ୍ରଶେଖର ପ୍ରେସ ଉଦ୍‌ଘାଟନ ଉତ୍ସବ ଉପଲକ୍ଷେ ୨୪।୨।୬୪ ତାରିଖରେ ଓ ନିଖିଳ ଉତ୍କଳ ସରକାରୀ ପ୍ରେସମାନଙ୍କର ବାର୍ଷିକ କ୍ରୀଡ଼ା ଉତ୍ସବ ଉପଲକ୍ଷେ କଟକରେ ଅଭିନୀତ ।

 

ପ୍ରଥମ ଦୃଶ୍ୟ

 

[ପରଦା ଉଠିଲାବେଳକୁ ଦେଖାଗଲା–ଗୋଟିଏ ଭଙ୍ଗା ଦଦରା ଘର-। ତା’ର ବାହାରେ ପ୍ଲାକାର୍ଡ ଦିଆଯାଇଛି–‘‘ସମସ୍ୟା-ସମାଧାନ ସଂଘ–ଘରପୋଡ଼ି, ଜଳବୁଡ଼ି ଆଦି ଯାବତୀୟ ଦୈବୀଦୁର୍ବିପାକରେ ଦେଶବାସୀଙ୍କର ଆଶା ଭରସାର ସ୍ଥଳ ’’ ସାମନାରେ ରାସ୍ତା । ଅଳ୍ପ ଦୂରରେ ଗୋଟିଏ ଘରେ ନିଆଁ ଲାଗିଯାଇଥିବାରୁ ଶୁଣାଯାଉଛି–ତୁମୂଳ ଗୋଳମାଳ । ତିନିଜଣ ଲୋକ ବିଶେଷ ତତ୍ପରତାସହ କିଛି କିଛି ପାଣି ନେଇ ପକାଉଛନ୍ତି; କିନ୍ତୁ ପାଟି କରୁଛନ୍ତି ବହୁତ । ବିବ୍ରତ ହୋଇ ପ୍ରବେଶ କଲେ ଗୃହସ୍ଥ ମଧୁ ସାହୁ–ଜଣେ ସାଧାରଣ ଦୋକାନୀ, ପିନ୍ଧିଛନ୍ତି ଖଣ୍ଡେ ଧୋତି ଓ ଚିରା ଗେଞ୍ଜି, ଅଣ୍ଟାରେ ବାନ୍ଧିଛନ୍ତି ଖଣ୍ଡେ ଗାମୁଛା । ପାଟିତୁଣ୍ଡ ବଢ଼ି ଚାଲିଲା–ଆରେ ପାଣି ଆଣ, ଠିଆ ହେଇଗଲ କାଇଁକି ଇତ୍ୟାଦି]

 

 

ମଧୁ ସାହୁ—

(ବିବ୍ରତ ଭାବରେ) ଆଏ ବାବୁ, ଟିକିଏ ଭଲା ଜୋରରେ ଲାଗିପଡ଼ । ସାରା ଘରଟା ପୋଡ଼ିଯିବା ଉପରେ ? ମୁଁ ଏବେ କରିବି କ’ଣ ? ଘରଟା ତ ଗଲା, ତା’ ସାଙ୍ଗେ ସାଙ୍ଗେ ଢୋଲ ପରି ଲାଉ ଦି’ଟା, ଆମ୍ୱୁଲ ହାଣ୍ଡିଏ, ତିନି ବସ୍ତା ସାନ ଗୋଡ଼ି (ଜିଭ କାମୁଡ଼ି) ! ଏ କାଳ-ଅଗ୍ନି ମୋରି ଭାଗ୍ୟକୁ କୁ’ଠି ଥିଲା ! [ଆଖିବୁଜି ଆଣ୍ଠୁମାଡ଼ି ବସିଲା ଓ ହାତ ଯୋଡ଼ିଲା] ଏ କ’ଣ କଲ ବଡ଼ବା ଗୋସେଇଁ ? ଧନୀ ଲୋକଙ୍କର ଏତେ ବଡ଼ ବଡ଼ ଘର ଥାଉଁ ଥାଉଁ ତୁମେ ଏ ଗରିବ କୁଡ଼ିଆରେ ବିଜେ କଲ ! ରକ୍ଷାକର ପ୍ରଭୁ, ଶାନ୍ତ ହୁଅ ପ୍ରଭୁ !

 

 

[ଏହି ସମୟରେ ଆସିଲେ ସମସ୍ୟା-ସମାଧାନ ସଂଘର ବିଶିଷ୍ଟ ସଭ୍ୟ ଗଣେଶ । ତାଙ୍କର ବେଶଭୂଷା ଅନେକଟା ସ୍ୱେଚ୍ଛାସେବକ ଅନେକଟା ମ୍ୟୁନିସିପାଲିଟି ଡି.ଡି.ଟି. ପକାଳିଙ୍କ ପରି । କାନ୍ଧରେ ପାଣିପକା ପମ୍ପ ଝୁଲୁଛି, ହାତରେ ଦଉଡ଼ି ଓ ବାଲ୍‌ଟି । ଲୁଗାପଟା ନିହାତି କଳା ।]

 

 

ଗଣେଶ—

(ମଧୁସାହୁଙ୍କ ନିକଟକୁ ଯାଇ) ଉଠ ଭକ୍ତ ! ବର୍ତ୍ତମାନ ସବୁ ପ୍ରାୟ ଶାନ୍ତ ।

 

 

ମଧୁ ସାହୁ—

(ଆଖି ବୁଜିଥିବା ଅବସ୍ଥାରେ) ସବୁ ଶାନ୍ତ ! ଧନ୍ୟ ହୁତାଶନ ଦେବତା, ଧନ୍ୟ ବଡ଼ବା ଗୋସେଇଁ, ତୁମେ ତେବେ ଗରିବର ଡାକ ଶୁଣିଲ ? ହେଲେ ପ୍ରଭୁ...

 

 

[ପରେ ପରେ ମଧୁ ସାହୁ ଆଖି ଖୋଲି ଗଣେଶକୁ ତନ୍ନ ତନ୍ନ କରି ଦେଖିଲା ।]

 

 

ତୁମେ ବାବୁ ! ମୁଁ ଭାବିଲି...

 

 

ଗଣେଶ—

ତୁମ ବିକଳ ଜଣାଣ ଶୁଣି ନିଜେ ଅଗ୍ନିଦେବତା ଆସି ଉଭା ହୋଇଗଲେ । କିଓ ସ୍ୱର୍ଗର ଦେବତା କ’ଣ ଆଜିକାଲି ଲୋକଙ୍କର କିଛି ଗୁହାରି ଶୁଣୁଚନ୍ତି ! ସବୁ କରିଚନ୍ତି ଏ ମର୍ତ୍ତ୍ୟ ଦେବତା ମଣିଷ !

 

 

ମଧୁ ସାହୁ—

ସତରେ ବାବୁ, ତୁମେମାନେ ମରତ-ଦେବେତା ! ତୁମମାନେ ଲାଗି ନ ଥିଲେ ଏ ନିଆଁ କ’ଣ ଏଡ଼େ ସହଜରେ ଲିଭିଥାନ୍ତା !

 

 

ଗଣେଶ—

ଆମେ ନ ଲାଗିଲେ–ଆମ ସମସ୍ୟା-ସମାଧାନ ସଂଘର ସାହାଯ୍ୟ ନ ପାଇଲେ ଆଜିକାଲି ଦେଶର କୌଣସି କାମ ହେଇପାରୁନି । କୌଣସି ଉନ୍ନତିମୂଳକ ଯୋଜନା ଉଧେଇ ପାରୁନି ।

 

 

ମଧୁ ସାହୁ—

କି ସଂଘ କହିଲ ବାବୁ ?

 

 

ଗଣେଶ—

ସମସ୍ୟା-ସମାଧାନ ସଂଘ । ସେ ହେଉଚି ଦେଶର ଏକ ଅଭିନର ଅପୂର୍ବ ଅନୁଷ୍ଠାନ ।

 

 

ମଧୁ ସାହୁ—

ତା’ର କାମ ?

 

 

ଗଣେଶ—

ଘରପୋଡ଼ି, ନଈବୁଡ଼ି, ରେଲ ମଟର ଦୁର୍ଘଟଣା, ଆଇନ-କାନୁନ୍‌ର କଟକଣା–ଆଦିରେ ଆପଣମାନଙ୍କୁ ସାହାଯ୍ୟ କରିବା ।

 

 

ମଧୁ ସାହୁ—

ହଁ ବାବୁ, ତୁମେମାନେ ସବୁ କରିପାରିବ ।

 

 

ଗଣେଶ—

କରିପାରିବୁ କ’ଣ ମଉସା, କରୁଚୁ ନା । ଏଇଠି ଦେଖିଲନି । ଏତେ ବଡ଼ ଘରପୋଡ଼ିଟେ ହେଲା ଯେ, ଦମ୍‌କଳ ଆସୁଚି କୋଡ଼ିଏ ମିନିଟ୍‍ ପରେ । ସ୍ୱେଚ୍ଛାସେବକମାନେ ଆସିଲେ ଅଧଘଣ୍ଟାକ ବାଦ୍‌; କିନ୍ତୁ ଆମ ସମସ୍ୟା-ସମାଧାନ ସଂଘର ଅନାହାରୀ ସଭ୍ୟମାନେ ଆସିଚନ୍ତି ଏକଦମ୍‌ ପ୍ରଥମରୁ । ତେଣେ ନିଆଁ ଲାଗିଲତ ଏଣେ ଆମେ ବାଲ୍‍ଟି ଦଉଡ଼ି ନେଇ ହାଜର ।

 

 

ମଧୁ ସାହୁ—

ତୁମେମାନେ ତ ବାବୁ ସତରେ ସାଙ୍ଗେ ସାଙ୍ଗେ ହାଜର ହେଇଗଲ । ହେଲେ ତୁମମାନଙ୍କୁ ଏ ଖବର ଜଣାଗଲା କିମିତି ?

 

 

ଗଣେଶ—

କସ୍ମିକ୍‍ ଏଫେକ୍ଟ ମଉସା, କସ୍ମିକ୍‍ ଏଫେକ୍ଟ ।

 

 

ମଧୁ ସାହୁ—

କି ଏଫେଟ୍‍ ବାବୁ ?

 

 

ଗଣେଶ—

କସ୍ମିକ୍‌ ଏଫେକ୍ଟ ! କସ୍ମିକ୍‌ ଏଫେକ୍ଟ କ’ଣ ଜାଣି ନ ପରା ?

 

 

ମଧୁ ସାହୁ—

ନାଁ ତ !

 

 

ଗଣେଶ—

କିମିତି ଆଉ ତୁମେ ଜାଣନ୍ତ । ରାଜ୍ୟସାରା ତ ଖାଲି ଆଜିକାଲିର ସତାର ବେତାର ଯନ୍ତ୍ର ନେଇ ବ୍ୟସ୍ତ ! କିନ୍ତୁ ଆମ ଦେଶ ଯେ ଦିନେ କେତେ ବଡ଼ ଥିଲା-!

 

 

ମଧୁ ସାହୁ—

କେତେ ବଡ଼ ଥିଲା ବାବୁ ?

 

 

ଗଣେଶ—

ଖୁବ୍‌ ବଡ଼, ଅତି ବଡ଼ ।

 

 

ମଧୁ ସାହୁ—

କୁଠୁ କୁ ପର୍ଯ୍ୟନ୍ତ ବାବୁ ?

 

 

ଗଣେଶ—

ଆହା, ମୁଁ ଆକାର ବଡ଼ କଥା କହୁନି ମଉସା ! ଶକ୍ତି, ଶକ୍ତି, ମହାଶକ୍ତିରେ ମହୀୟାନ୍‌ ଥିଲା ଆମ ଏ ଦେଶ । ଦିନେ ଏ ଭାରତରେ ଅସମ୍ଭବ କଥା ସମ୍ଭବ ହଉଥିଲା । ଅଜଣା ବିଷୟ ଜଣା ଯାଉଥିଲା, ତୁମେ କ’ଣ ପୁରାଣ ଭାଗବତ କିଛି ପଢ଼ିନ ମଉସା ?

 

 

ମଧୁ ସାହୁ—

ପଢ଼ିଚି ତ ବାବୁ କିଛି କିଛି । ତାରା ସୁଗ୍ରୀବ ରହସ୍ୟ, ହନୁ ଜାମ୍ୱବାନ ସମ୍ୱାଦ...

 

 

ଗଣେଶ—

ହାଁ, ରାମ ସୁମରଣା କଲେ ହନୁମାନ ଜାଣି ପାରୁଥିଲେ । ସୁଗ୍ରୀବ ଭାବିଲେ ଜାମ୍ୱବାନକୁ ଖବର ହେଇ ଯାଉଥିଲା । ଟେଲଗ୍ରାମ ନାଇଁ, ଟେଲଫୋନ ନାଇଁ, ସତାର ନାଇଁ, ବେତାର ନାଇଁ, ଏସବୁ କିମିତି ହଉଥିଲା ?

 

 

ମଧୁ ସାହୁ—

କିମିତି ତ ହଉଥିଲା ବାବୁ ।

 

 

ଗଣେଶ—

କିମିତି ନୁହେଁ, କସ୍ମିକ୍‌ ଏଫେକ୍ଟ ! କସ୍ମିକ୍‌ ଏଫେକ୍ଟ ଫଳରେ ଏସବୁ ଜଣା ଯାଉଥିଲା ।

 

 

ମଧୁ ସାହୁ—

ଆଚ୍ଛା ସେ ବିଦ୍ୟା କ’ଣ ତୁମ ସଂଘ ହାସଲ କରିଚି ?

 

 

ଗଣେଶ—

କରିନି ତ ଆମେ ଘରପୋଡ଼ି ଖବର ଜାଣିଲୁ କିମିତି ? ଘରପୋଡ଼ି, ଜଳବୁଡ଼ି ଆଦି ଯେଉଁଠି ଯେଉଁ ଦୈବୀ ବିପତ୍ତି ଘଟୁଚି, ସେ ଖବର ଆମକୁ ସାଙ୍ଗେ ସାଙ୍ଗେ ଜଣାପଡ଼ିଯାଉଚି ।

ମଧୁ ସାହୁ—

ସେଇଆ ତ ମୁଁ ନିଜ ଆଖିରେ ଦେଖି ତାଟଙ୍ଗା ହେଇଗଲି ବାବୁ । ଘରେ ନିଆଁ ଲାଗୁ ନ ଲାଗୁଣୁ ତୁମେମାନେ ଆସି ହାଜର । ବାସ୍ତବିକ୍‌ ବାବୁ, ତୁମେମାନେ ଦେଶର ଖୁବ୍‌ ଉପକାର କରୁଚ ।

ଗଣେଶ—

ଖୁବ୍‌ କଲୁଣୁ କୁଠି ! ଦେଶଟା ତ ଖାଲି ଗୁମ୍‌ ହେଇ ପଡ଼ିରହିଚି । ହେଲେ ଯେତେବେଳେ ଆମ ସଂଘ ଆଉ ଟିକେ ଆଗେଇ ଯିବ ନା, ତେଣିକି ଦେଖିବ ଆମ ଲୋକହିତକର କାର୍ଯ୍ୟର ମାହାତ୍ମ୍ୟ, ଆମ ଲୋକସେବାର ପରାକାଷ୍ଠା । ଦୁନିଆ ଖାଲି ଦୁଲୁକି ଉଠିବ । ଲୋକେ ହାୟ ହାୟ କରିବେ, ଚାରିଆଡ଼େ ଗୋଟେ ହଟଚମଟ ଖେଳିଯିବ । ତୁମେମାନେ ଯଦି ଆମମାନଙ୍କୁ ଟିକେ ସାହାଯ୍ୟ କରିବ ନା !

ମଧୁ ସାହୁ—

ଆମେ କି ସାହାଯ୍ୟ କରିବୁ ବାବୁ ? ଆମେ ତ ନିତାନ୍ତ ଗରିବ ଲୋକ ।

ଗଣେଶ—

ଗରିବ ହେଲେ ବି ତୁମେ କରିପାରିବ ମଉସା, ଏ ସିମିତି କିଛି ନୁହେଁ, ଅତି ସାମାନ୍ୟ......

ମଧୁ ସାହୁ—

କ’ଣ କହୁନା ।

ଗଣେଶ—

ଏ ସାମାନ୍ୟ କିଛି ଚାନ୍ଦା !

ମଧୁ ସାହୁ—

ଚାନ୍ଦା ? ମତେ ଦବାକୁ ହବ ?

ଗଣେଶ—

ହଁ, କିଛି ଦବାକୁ ହବ ମଉସା । ତୁମେମାନେ ଖାଲି ଚାନ୍ଦା ଦେଲେ ଆମେ ଦେଶର ସବୁ ଦୁଃଖ ଦୁର୍ଦ୍ଦଶା ନିକାଶ କରିଦବୁ । ତୁମେ ଜାଣିଚ ମଉସା ?

ମଧୁ ସାହୁ—

କ’ଣ ?

ଗଣେଶ—

ଏ ଦେଶରୁ ଇଂରେଜମାନେ ଗଲେ କିମିତି ?

ମଧୁ ସାହୁ—

ତା’ ମୁଁ ଜାଣିନି ? ମାହାତମା ତ କଂଗ୍ରସକୁ ଧରି ଇମିତି ସତିଆଗ୍ରହ, ଧରମଘଟ ଆରମ୍ଭ କଲେ ଯେ.......

ଗଣେଶ—

ସାହାବଗୁଡ଼ାକ ଖାଲି ଅତରଚ୍ଛରେ ଛାଟିପିଟି ହେଇ ପଳେଇଲେ । କିଛି ଜାଣି ନ ମଉସା, କିଛି ଜାଣି ନ ।

ମଧୁ ସାହୁ—

ଆଉ ସେ ଗଲେ କିମିତି ?

ଗଣେଶ—

ଖାଲି ଚାନ୍ଦା-ଦବା ଫଳରେ । ସ୍ୱଦେଶୀ ଅନୁଷ୍ଠାନମାନଙ୍କୁ ଚାନ୍ଦା ଦେଇ ଦେଇ ଆମ ବୀର ଦେଶବାସୀ ପ୍ରବଳ ପ୍ରତାପୀ ବିଦେଶୀ ସରକାରଙ୍କୁ ଏଠୁ ନିକାଲି ଦେଲେ ।

 

 

ମଧୁ ସାହୁ—

ଆଉ ତୁମେ ଚାନ୍ଦା ପାଇଲେ ଏ ଦେଶୀ ସରକାରଙ୍କୁ କ’ଣ ନିକାଲି ଦବ !

 

 

ଗଣେଶ—

ନା ସରକାରଙ୍କୁ କାଇଁ ନିକାଲି ଦବୁ ? ଆମେ ସେଇ ଚାନ୍ଦାରୁ ଯଦି କିଛି କିଛି ପାଉ, ତେବେ ଦେଖିବ, ଆମେ ଦେଶର କି ଉପକାର କରିବୁ ।

 

 

ମଧୁ ସାହୁ—

ସେଇ ଯୋଗେ......

 

 

ଗଣେଶ—

ସେଇ ଯୋଗେ ଆମେ ଯୋଡ଼ିଏ ଅକ୍ଷରକୁ ମୂଳ ନୀତି କରିଚୁ–ଚା–ନ୍ଦା ।

 

 

ମଧୁ ସାହୁ—

ଚାନ୍ଦା ମୁଁ କୁଠୁ ଦେଇପାରୁଚି ବାବୁ । ଦେଖୁଚ ତ ସର୍ବସ୍ୱ ପୋଡ଼ିଗଲା !

 

 

ଗଣେଶ—

ପୋଡ଼ିଯିବ ତ ! ଧନ ଘରେ ରଖିଲେ ଚୋର ନେଇଯିବେ, ଘର ପୋଡ଼ିଗଲେ ସର୍ବସ୍ୱ ଧ୍ୱଂସ ହେଇଯିବ । ହେଲେ ଚାନ୍ଦାଦେଲେ ସେଟା ତୁମର ତ୍ରିକାଳକୁ ରହିଲା । ଦିଅ ନା କିଛି । ଟଙ୍କା, ଅଧୁଲି, ସୁକି, ଦୋଣୀ, ପୁରୁଣାପଇସା, ନୂଆ ପଇସା...

 

 

[ପ୍ରବେଶ କଲେ ସମସ୍ୟା-ସମାଧାନ ସଂଘର ଅନ୍ୟ ଜଣେ ସଭ୍ୟ ସୁରେଶ । ବେଶଭୂଷା ସ୍ୱେଚ୍ଛାସେବକଙ୍କ ପରି । ହେଲେ କଳା କୋତରା । ହାତରେ ଗୋଟିଏ ବାଡ଼ିରେ ଓ କାନ୍ଧରେ ଗୋଟିଏ ବ୍ୟାଗରେ ନୂଆ ପୁରୁଣା ଅନେକ କିଛି ମନୋହରୀ ଜିନିଷ ଧରିଛନ୍ତି । ଦେଖାଯାଉଚନ୍ତି ଅନେକଟା ଛୁଞ୍ଚି-ସୂତା-ଗନ୍ଧକର୍ପୂର ବିକାଳି ପରି]

 

 

ସୁରେଶ—

(ମଧୁ ସାହୁଙ୍କ ପ୍ରତି) ଦିଅ ମଉସା, ଦିଅ । ମନା କରନି । ତୁମେ ଦେଶର ଏ ଅଦ୍ୱିତୀୟ ଲୋକହିତକର ଅନୁଷ୍ଠାନ ସମସ୍ୟା ସମାଧାନ ସଂଘକୁ ହତାଶ କରନି-। (ଗଣେଶ ପ୍ରତି) ନିଅ ବାବୁ ତୁମ ଅସାମାନ୍ୟ ଅନୁଷ୍ଠାନକୁ ମୋର ଏହି ସାମାନ୍ୟ ସାହାଯ୍ୟ–ମାତ୍ର ପାଞ୍ଚଟି ପୁରୁଣା ପଇସା ।

 

 

ଗଣେଶ—

[ଚାନ୍ଦାବାକ୍ସ ଦେଖାଇ] ପରମ ସାଦରେ ଗ୍ରହଣ କରୁଚି, ସମସ୍ୟା-ସମାଧାନ ସଂଘ ଯେତେବେଳେ ଦେଶହିତକର କାମ କରିବାକୁ ବାହାରିଚି, ସେ ଛୋଟ ବଡ଼ ଭେଦଭାବ ଭୁଲିଯାଇଚି, ଅଳ୍ପ ବହୁତ ବିଚାର ଛାଡ଼ି ଦେଇଚି ।

 

 

[ସୁରେଶ ବାକ୍ସରେ ପଇସା ପକେଇଲା]

 

 

[ମଧୁ ସାହୁଙ୍କ ପ୍ରତି] ତୁମେ ବି କିଛି ଦିଅ ମଉସା !

 

 

ମଧୁ ସାହୁ—

ତୁମ କଥା ଶୁଣି ଦବାକୁ ଭାରି ମନ ହଉଚି ଯେ ବାବୁ, ହେଲେ ପାଖରେ ତ କିଛି ନାଇଁ ।

 

 

ସୁରେଶ—

କିଛି ନାଇଁ । ଚାନ୍ଦା ଦବାକୁ କିଛି ନାଇଁ । ନା, ନା, ହଠାତ୍‌ ସିମିତି ହତାଶ ହୁଅନି-। କିଛି ଦବାକୁ ଚେଷ୍ଟାକର ।

 

 

ମଧୁ ସାହୁ—

ନା, ବାବୁ କିଛି ନାଇଁ ।

 

 

ସୁରେଶ—

ତେବେ ମୋ ବିତରଣ ଭଣ୍ଡାରରୁ କିଛି ସେକେଣ୍ଡହାଣ୍ଡ ଜିନିଷ କିଣ ।

 

 

ଗଣେଶ—

କିଣ, କିଣ ।

 

 

ମଧୁ ସାହୁ—

ସେକିଣ୍ଡି ହାଣ୍ଡ ?

 

 

ସୁରେଶ—

ନାଁ ସିନା ସେକେଣ୍ଡହାଣ୍ଡ, କିନ୍ତୁ ତୁଚ୍ଛା ନୂଆ ଜିନିଷଗୁଡ଼ାକ, ନିହାତି ଶସ୍ତା, Massive reduction in price. ଏଇ ଦେଖ ଏ ଘଣ୍ଟାଟା ଦି’ଟଙ୍କା, ଏ ଫାଉଣ୍ଟେନପେନ୍‌ ଟଙ୍କାଏ, ଏ ମନିବ୍ୟାଗ ଚାରଣା । ଦେଶବାସୀଙ୍କ ଆର୍ଥିକ ଦୁରବସ୍ଥା ଦେଖି ଜିନିଷଗୁଡ଼ାକର କେବଳ ଗୋଟେ ମାମୁଲି ମୂଲ୍ୟ ରଖାଯାଇଚି-

 

 

ମଧୁ ସାହୁ—

(ଆଶ୍ଚର୍ଯ୍ୟ ହୋଇ) ବାବୁ, ଏ ଚୋରୀ ଜିନିଷ ନୁହେଁ ତ ?

 

 

ଗଣେଶ—

ଆହା ଭଦ୍ରଲୋକଙ୍କୁ ଇମିତି କ’ଣ କହୁଚ !

 

 

ସୁରେଶ—

ଦେଖ ମଉସା, ଏଇ ହେଲା ଆମ ଲୋକଙ୍କର ଅବିଚାର । ଶସ୍ତା ନ ଦେଲେ ଦେଶ ଆଉ ଜାତିକୁ ନିନ୍ଦା କରିବେ, ସରକାର ଆଉ ବ୍ୟବସାୟୀଙ୍କୁ ଗାଳିଦେବେ; କିନ୍ତୁ ଶସ୍ତାରେ ଦେଲେ ଚୋରୀ ଜିନିଷ ବୋଲି କହିବେ !

 

 

ଗଣେଶ—

ଛିଃ ଛିଃ ! କି କ୍ଳିଷ୍ଟ ମନୋଭାବ !

 

 

ସୁରେଶ—

ନା, ମଉସା, ଚୋରୀ ଡକାୟତି ମାଲ ନୁହେଁ, ଖାଣ୍ଟି ଜାତୀୟ ପଦାର୍ଥ, ଶାସ୍ତ୍ରୀୟ ନୀତିରେ ବିକାଯାଉଚି । ନିଅ, କିଛି ନିଅ ।

 

 

ମଧୁ ସାହୁ—

କେତେ ପରିଶ୍ରମ କରି ବିକୁଚ ବାବୁ । ବଡ଼ ଦୟା ହଉଚି । ହେଲେ ପାଖରେ ତ କିଛି ନାଇଁ ।

 

 

[ପ୍ରବେଶ କଲେ ସମସ୍ୟା-ସମାଧାନ ସଂଘର ଅନ୍ୟତମ ସଭ୍ୟ ବୀରେଶ, ବେଶଭୂଷା କଳା-କୋତରା ମୁଣ୍ଡରେ ଗୋଟିଏ ପଗଡ଼ି, ହାତରେ ଗୋଟିଏ ପ୍ଲାକାର୍ଡ–ଦୁଇଥରେ ଲେଖା ଯାଇଚି ‘ଦାତବ୍ୟ ବ୍ୟାଙ୍କ’ ]

 

 

ବୀରେଶ—

(ମଧୁ ସାହୁଙ୍କ ପ୍ରତି) କିଛି ପାଖରେ ନାଇଁ ? ତେବେ ତୁମେ ମୋ ଏ ଦାତବ୍ୟ ବ୍ୟାଙ୍କର ସଭ୍ୟ ହୁଅ ମଉସା ।

 

 

[ଗଣେଶ ଓ ସୁରେଶ କ’ଣ କଳ୍ପନାଜଳ୍ପନାରେ ବ୍ୟସ୍ତ ରହିଲେ । ହେଲେ ସେମାନେ ବରାବର ମଧୁ ସାହୁ ବୀରେଶର କଥାବାର୍ତ୍ତାର ବିଭିନ୍ନ ସ୍ତରକୁ ଲକ୍ଷ୍ୟ ରଖିଥାନ୍ତି]

 

 

ମଧୁ ସାହୁ—

ଦାତବ୍ୟ ବ୍ୟାଙ୍କ ?

 

 

ବୀରେଶ—

ହଁ, ଦାତବ୍ୟ ବ୍ୟାଙ୍କ । ବିନା ବ୍ୟୟରେ, ବିନା ସୁଧରେ ତୁମେ ଯେତେ ଟଙ୍କା ଚାହିଁବ, ସେତେ ଟଙ୍କା ଧାର ନେଇ ପାରିବ ।

 

 

ମଧୁ ସାହୁ—

ସତେ ! ଯେତେ ଟଙ୍କା ଚାହିଁବି ସେତେ ଟଙ୍କା ଧାର ଦବ ? ତେବେ କିଛି ଦିଅ ବାବୁ । ଏ ଘରପୋଡ଼ିରେ ସର୍ବସାନ୍ତ ହେଇଯାଇଚି । ଆଚ୍ଛା ବାବୁ, ତୁମ ବେଙ୍କରୁ ଟଙ୍କା ନବାକୁ କିଛି ବନ୍ଧାଛନ୍ଦା କି ତମସୁକ-କବଲା ଦରକାର ନାଇଁ ତ ?

 

 

ବୀରେଶ—

କିଛି ଦରକାର ନାଇଁ, ଖାଲି ଚାହିଁଲେ ହେଲା ।

 

 

ମଧୁ ସାହୁ—

ଖାଲି ଚାହିଁଲେ ହେଲା । ବାଃ, ଦେଶରେ କେତେ ଜନହିତକର କାମ ଗଢ଼ିଉଠିଲାଣି ! ସମସ୍ୟା-ସନ୍ଧାନ ସଂଘ....

 

 

ବୀରେଶ—

ସମସ୍ୟା-ସମାଧାନ ସଂଘ !

 

 

ମଧୁ ସାହୁ—

ହଁ, ଅମାସ୍ୟା-ଅନ୍ଧାର ସଂଘ, ବିତରଣ ଭଣ୍ଡାର, ଦାତବ୍ୟ ବ୍ୟାଙ୍କ । ହେଲେ ବାବୁ, ତୁମେ କାବୁଲିଙ୍କ ପରି ଯାଚି ଟଙ୍କା ଦେଇ ପରେ ହଇରାଣ କରିବନି ତ ? ଟଙ୍କେ ଦେଇ ପାଞ୍ଚଟଙ୍କା ଦାବି କରିବନି ତ ?

 

 

ବୀରେଶ—

ଓଃ ! କହିଲି ପରା ବିନା କଷ୍ଟରେ, ବିନା ସୁଧରେ ଯେତେ ଇଚ୍ଛା ସେତେ ଟଙ୍କା ନେଇ ପାରିବ ।

 

 

ମଧୁ ସାହୁ—

ତେବେ କିଛି ଦିଅ ।

 

 

ବୀରେଶ—

ହଁ ଦେବି ଯେ ତୁମେ ଆଗ ସଭ୍ୟ ହୁଅ ।

 

 

ମଧୁ ସାହୁ—

ସଭ୍ୟ ନୋହୁଁ କ’ଣ ଆମେ ଅସଭ୍ୟ ! ବେଶି ପାଠଶାଠ ପଢ଼ିନୁ ବୋଲି.....

 

 

ବୀରେଶ—

ନା, ନା, ମୁଁ ତା’ କହୁନି ଯେ, ତୁମେ ଆମ ସଂଘର ସଭ୍ୟ ହୁଅ ।

 

 

ମଧୁସାହୁ—

ସଂଘର ସଭ୍ୟ ! ହେଲି ।

 

 

ବୀରେଶ—

କ’ଣ ଇମିତି କହିଦେଲେ ସଭ୍ୟ ହେଇଯିବ ?

 

 

ମଧୁ ସାହୁ—

ଆଉ ? କ’ଣ ଦସ୍ତଖତ ଫସ୍ତଖତ ଦରକାର ?

 

 

ବୀରେଶ—

ନା, ସେସବୁ ଦରକାର ନାଇଁ । ତେବେ ପ୍ରବେଶିକା ଫିସ୍‍ଟା କାଢ଼ ।

 

 

ମଧୁ ସାହୁ—

ପରଶିକା ଫିସ୍‍ ? ସେଟା ପୁଣି କ’ଣ ?

 

 

ବୀରେଶ—

ଆରେ ଆଚ୍ଛା କଥା ତ ! ତୁମେ ଗୋଟେ ଏତେ ବଡ଼ ବ୍ୟାଙ୍କର ସଭ୍ୟ ହବ, ପ୍ରବେଶିକା ଫିସ୍‌ ଦବନି ?

 

 

ମଧୁ ସାହୁ—

ଫିସ୍‌ଟା କେତେ ଲାଗିବ ବାବୁ ?

 

 

ବୀରେଶ—

ଦି’ଟଙ୍କା ତେୟାଶୀ ନୂଆପଇସା ।

 

 

ମଧୁ ସାହୁ—

ଇମିତି ଅଛିଣ୍ଡା ଦର କ’ଣ ?

 

 

ବୀରେଶ—

ଛିଣ୍ଡା ଅଛିଣ୍ଡା କଥା ନୁହେଁ ମଉସା । ଏ ହେଲା ହିସାବ ପତ୍ର କାମ, ମାନେ Pure mathematics । କଥାଟାକୁ ସବୁ ଦିଗରୁ ଭାବିଚିନ୍ତି, ଖର୍ଚ୍ଚଟା ମୂଳରୁ ଚୂଳ ଯେ ହିସାବ କରି ସଂଘ ଆମର ଗୋଟେ ଅନ୍ୟୂନ ରେଟ୍‌ ବାନ୍ଧି ଦେଇଚି ।

 

 

ମଧୁ ସାହୁ—

ଆମେ ଦୋକାନୀ ଲୋକ । ବିକାବିକିରେ ଯୁଠି ଅଛିଣ୍ଡା ଦର ପଡ଼ିଲା....

 

 

ବୀରେଶ—

ତାକୁ ତୁମେ ବଢ଼ାବଢ଼ି କରି ଦର ହାଙ୍କି ଦିଅ । କିନ୍ତୁ ଆମେ ସବୁ କାଟିକୁଟି ରଖିଚୁ ମାତ୍ର ଦୁଇଟଙ୍କା ତେୟାଶୀ ନୂଆପଇସା ।

 

 

ମଧୁ ସାହୁ—

ମୋ ପାଖରେ ତ ଏତେ ନାଇଁ ବାବୁ ।

 

 

ବୀରେଶ—

କେତେ ଅଛି ବାହାର କର । ଗୋଟେ ହୁଏତ କନ୍ସେସନ ରେଟରେ ତୁମକୁ ମେମ୍ୱର କରିଦବା ।

 

 

ମଧୁ ସାହୁ—

କନ୍‌ସନ୍‌ କ’ଣ ?

 

 

ବୀରେଶ—

ମାନେ ଯାହା ଦରକାର, ତା’ଠାରୁ କମରେ ତୁମକୁ ବ୍ୟାଙ୍କର ମେମ୍ୱର କରିନେବି-

 

 

ମଧୁ ସାହୁ—

କିଛି ନ ନେଇ......

 

 

ବୀରେଶ—

ନା, ନା, ତା’ କିମିତି ହବ ? ଏ ଆଇନକାନୁନ୍‌ କାମ !

 

 

ମଧୁ ସାହୁ—

ନାଇଁ ବାବୁ ସେ କଥା ଛାଡ଼ । ମୋ ପାଖରେ ଟଙ୍କାପଇସା ଆଦୌ ନାଇଁ ।

 

 

ବୀରେଶ—

ଧେତ୍‌ ! ସବୁ କଥାରେ ଗୋଟେ ନାସ୍ତି ଭାବ ! ଏଇ ତ ହେଲା ଆମ ଅବନତିର କାରଣ । କେତେ ଅଛି ବାହାର କରନା ମଉସା ! ଗୋଟେ ଏଡ଼େ ବଡ଼ ବ୍ୟାଙ୍କର ମେମ୍ୱର ହବ, ବିନା ସୁଧରେ ଯେତେ ଇଚ୍ଛା ସେତେ ଟଙ୍କା ନେଇ ପାରିବ ।

 

 

ମଧୁ ସାହୁ—

ହେଲେ, ଏ ଦଶଟି ନୂଆପଇସା ଛଡ଼ା ତ ମୋ ପାଖରେ ଆଉ କିଛି ନାଇଁ ।

 

 

ବୀରେଶ—

ଯାଃ, ଦଶ ନୂଆପଇସାରେ କ’ଣ ହବ ? ଆଉ ବାହାର କରନା ।

 

 

ମଧୁ ସାହୁ—

ନାଁ, ଆଉ କିଛି ନାଇଁ, ନବ ଯଦି ଏଇତକ ନିଅ ।

 

 

ବୀରେଶ—

ନା ତା’ କିମିତି ହବ । ମାତ୍ର ଦଶ ନୂଆପଇସା ନେଇ ମୁଁ ତୁମକୁ ଏଡ଼େ ବଡ଼ ବ୍ୟାଙ୍କର ମେମ୍ୱର କରିପାରିବିନି ।

 

 

ମଧୁ ସାହୁ—

ମୋ ପାଖରେ ତ ଆଉ କିଛି ନାଇଁ ।

 

 

ବୀରେଶ—

କ’ଣ ନାଇଁ କରୁଚ ମଉସା । ଦେଖ, ବାଉଳାରେ କୁଠିଁ କିଛି ରହିଯାଇଥିବ ।

 

 

 

[ବୀରେଶ ମଧୁ ସାହୁର ଅଣ୍ଟା ଦରାଣ୍ଡିଲା । ଖଣ୍ଡିଆ ବିଡ଼ି ଆଦି କେତେ କ’ଣ ବାହାରିଲା]

 

 

ମଧୁ ସାହୁ—

କାଇଁ ଇମିତି ହଇରାଣ କରୁଚ ଭଲା । ଆଉ କିଛି ନାଇଁ ।

 

 

ଗଣେଶ—

ଆଚ୍ଛା ମଉସା, ତୁମେ ବେସ୍ତ ହବାର ଦରକାର ନାଇଁ । ସେ ଦଶ ପଇସିଟି ତୁମେ ଏଇ ଚାନ୍ଦା ବାକ୍ସରେ ଦେଇଦିଅ, ବହୁତ ପୁଣ୍ୟ ଅର୍ଜିବ, ବହୁତ ଲୋକ ତୁମର ବାହାବା କରିବେ ।

 

 

ମଧୁ ସାହୁ—

ବାହାବା ଶୁଣିବାକୁ ପଇସା ଦେବି ! ମୁଁ ଦୋକାନୀ ଲୋକ !

 

 

ସୁରେଶ—

ନାଇଁ ମଉସା, ତୁମେ ସେଥିରେ ଗୋଟେ ସେକେଣ୍ଡହାଣ୍ଡ ଜିନିଷ କିଣ ।

 

 

ବୀରେଶ—

ହଉ, ହେଲା ମଉସା ! ତୁମେ ଯେତେବେଳେ କହୁଚ, ସେତକ ଦିଅ, ମୁଁ ତୁମକୁ ଗୋଟେ ନିତାନ୍ତ ଶସ୍ତା ରେଟରେ..

 

 

ମଧୁ ସାହୁ—

(ବିବ୍ରତ ହୋଇ) ନାଇଁ ବାବୁ, ସେ ପଇସାକୁ ମୁଁ ମୋଟେ କାହାକୁ ଦେବିନି, ମୁଁ ତାକୁ ପିକା କିଣିବି ବୋଲି ରଖିଚି ।

 

 

ଗଣେଶ—

ପିକା ! ଛିଃ ଛିଃ, ସେ ମାଦକ ଦ୍ରବ୍ୟରୁ କ’ଣ ପାଇବ ? ଦେଖୁଚ ଦେଶସାରା ନିଶାନିବାରଣ ଆନ୍ଦୋଳନ ଚାଲିଚି ? ସେତକ ଚାନ୍ଦା ଦେଇ ଗୋଟେ ଲୋକହିତକର କାମ କର ।

 

 

ସୁରେଶ—

ନାଇଁ, ସେଥିରେ ଗୋଟେ ସେକେଣ୍ଡହାଣ୍ଡ ଜିନିଷ କିଣ । ଗୋଟେ ଦାମିକା ଚିଜ ନିତାନ୍ତ ଶସ୍ତାରେ ପାଇଯିବ ।

 

 

ବୀରେଶ—

ନାଇଁ, ସେଥିରେ ତୁମେ ମୋ ଦାତବ୍ୟ ବ୍ୟାଙ୍କର ମେମ୍ୱର ହୁଅ ।

 

 

ମଧୁ ସାହୁ—

ନା, ସେ ପଇସା ଦଶଟା ପାଇଁ ମୁଁ ଏତେ ଅଡ଼ୁଆରେ ପଶିପାରିବିନି ।

 

 

[ମଧୁ ସାହୁ ଯିବାକୁ ଉଦ୍ୟତ ହେବାରୁ ଗଣେଶ ପ୍ରଭୃତି ତାକୁ ଧରି ପକେଇଲେ ।]

 

 

ଗଣେଶ—

ନାଇଁ, ସେ ଦଶ ପଇସା ଦିଅ, ଆମେ ସମସ୍ତେ ମିଶି ତୁମକୁ ସବୁ ସୁବିଧା ଦେଇଦବୁ ।

 

 

ମଧୁ ସାହୁ—

ନାଇଁ, ନାଇଁ, ମତେ ଛାଡ଼ । ନଇଲେ ପୁଲିସ୍‌ କି ଡାକିବି (ପାଟିକରି) ଦଉଡ଼ି ଆସ, ସମସ୍ତେ ଦଉଡ଼ି ଆସ । ଏଠି ଦଳେ ଦଲାଲ, ଡକାଏତ ।

 

 

[ମଧୁ ସାହୁ ଛାଟିପିଟି ହୋଇ ପଳାଇଲେ । ତା’ ପାଟି ଡରରେ ଗଣେଶ ପ୍ରଭୃତି ଆଉ ଜବରଦସ୍ତି କଲେନି ।]

 

 

ଗଣେଶ—

ଆରେ ଏଇଟା ତ ଗୋଟେ ଚଣାଚୋଠା । ମାତ୍ର କେତେଟା ପଇସା ପାଇଁ ଆମକୁ ଏତେ ହଇରାଣ କଲା !

 

 

ସୁରେଶ—

ଲୋକଟା ନିହାତି ଶୁଖିଲା କାଠ ! ତା’ ପଞ୍ଚପ୍ରାଣକୁ ଏ ଦଶ ନୂଆପଇସାରେ ରଖିଚି ।

 

 

ଗଣେଶ—

ତୁମେ ଦୁହେଁ ତ ସବୁ ବିଗାଡ଼ି ଦେଲ । ମୁଁ ତାକୁ କୌଣସିମତେ ବାଗେଇ ସେତକ ଆଣି ନ ଥାନ୍ତି ।

 

 

ବୀରେଶ—

ଆଣିଥିଲେ ତୁ ସବୁ ଏକା ଚଳୁ କରି ଦେଇଥାନ୍ତୁ ତୋ Individual effortର ଦ୍ୱାହି ଦେଇ ।

 

 

ସୁରେଶ—

ଆମେ ତେଣୁ ଚେଷ୍ଟା କଲୁ, ଯଦି ଆମ ଭାଗରେ ପଡ଼ିଯାଏ । A bird in hand worth ten in the bush ।

 

 

ଗଣେଶ—

ଯାଃ, ତୁଚ୍ଛା ବିକଳିଗୁଡ଼ାକ ତୁମେ । ଗୋଟେ ଭଲମନ୍ଦ ଧାରଣା ନାଇଁ, ଗୋଟେ Fellow feeling ନାଇଁ ! ମୁଁ ଯେତେବେଳେ ଉଦ୍ୟମ କରୁଥିଲି, ମତେ ସୁବିଧାଟା ଛାଡ଼ି ଦେବା ଦରକାର ଥିଲା । ହଉ, ସେ ତ ଗଲେ ଏବେ କ’ଣ କରିବା ଯେ ? ହଇରେ ସୁରେଶ, ତୋ ପାଖରେ କିଛି ନାଇଁ ?

 

 

ସୁରେଶ—

ନାଁ କିଛି ନାଇଁ ।

 

 

ଗଣେଶ—

ବୀରେଶ, ତୋ ପାଖରେ ?

 

 

ବୀରେଶ—

ନା ଗଣେଶ ଦା କିଛି ନାଇଁ । ଟଙ୍କାକେ ଟଙ୍କେ ସୁଧ ଦେବି ବୋଲି କହି ଦଶଟି ଟଙ୍କା ଯୋଗାଡ଼ କରିଥିଲି, ସେ ଚଉଧୁରୀ ବଜାର ହୋଟେଲବାଲା କୁଠୁ ଜାଣିଲା, ଦଉଡ଼ି ଆସି ମୋଠୁ ତାକୁ ଛଡ଼େଇନେଲା ।

 

 

ଗଣେଶ—

ଦଶଟଙ୍କା ଯାକ ଛଡ଼େଇ ନେଲା !

 

 

ବୀରେଶ—

ନିଅନ୍ତାନି । ତା’ର ଆମ ଉପରେ ଏତେ ଟଙ୍କା ବାକି ।

 

 

ସୁରେଶ—

ବାକି ଅଛି ବୋଲି ସବୁଟା ନେଇଗଲା ! ଆମେ ପୁଣି ଚଳୁ କିମିତି !

 

 

ବୀରେଶ—

ଚଳିବା ଆଉ କିମିତି ? ଦୁନିଆ ଯାକ ତ ଆମେ ବାକିରେ ଚଳୁ କରି ସାରିଲେଣି-। ଆଚ୍ଛା ଗଣେଶ ଦା, ତୋ ଚାନ୍ଦାବାକ୍ସ ଦେଖ୍‌ନା, କିଏ କିଛି ଯଦି ବାଉଳାରେ ପକେଇ ଦେଇଥିବ ।

 

 

ଗଣେଶ—

ମାଗି ମାଗି ପ୍ରାଣ କଣ୍ଠାଗ୍ରତ ହେଲେ ବି କେହି ଶୁଣୁନାହାନ୍ତି, ଆଉ ୟା ପାଇଁ ବାଉଳାରେ ଟଙ୍କାଗୁଡ଼ାକ କିଏ ବାକ୍ସରେ ପୂରେଇ ଦଉଥିଲେ । ହେଇ ଦେଖ ତୋରି ସେଇ ପାଞ୍ଚ ପଇସା ।

 

 

ସୁରେଶ—

ମୋରି ସେ ପାଞ୍ଚ ପଇସା ? ମାନେ ସେ ଅଚଳନ୍ତି ଅଣି, ସେ ଘଷରା ପଇସା !

 

 

ଗଣେଶ—

ହିଁ, ସେତିକି ।

 

 

ବୀରେଶ—

ଓହୋ, ସ୍ୱାଧୀନତା ପ୍ରାପ୍ତି ପରେ ଆମ ଦେଶବାସୀଙ୍କର କି ଅଧଃପତନ ହେଲା-। ଏତେ ମହତ୍‌ ଏ ଚାନ୍ଦାଦବା ଅଭ୍ୟାସଟା ଏମାନେ ଏକେବାରେ ଛାଡ଼ିଦେଲେ-

 

 

ସୁରେଶ—

ପୂରା ଛାଡ଼ିଦେଲେ । ଦେଖିଲତ ଏ ଲୋକଟାକୁ । ନିଆଁ ପାଣିରେ କାମ କରି ଆମେ ନୟାନ୍ତ ହେଲୁ, ଏତେ ବଡ଼ ଘରପୋଡ଼ିରୁ ତତେ ରକ୍ଷାକଲୁ, ତୁ ମାତ୍ର ଦଶଟା ନୂଆପଇସା ପ୍ରତିଦାନରେ ମୂର୍ଚ୍ଛି ପାରିଲୁନି ! ହାୟରେ ନିଷ୍ଠୁର ଦୁନିଆଁ !!

 

 

ବୀରେଶ—

ତାକୁ ବି ଦୋଷ ଦେଇ ଲାଭ କ’ଣ ? ଦୁନିଆର କୌଣସି ଜିନିଷ ତ ସେ ବିନା ପଇସାରେ ପାଉନି । ଭାବିଲା ଏମାନେ ତ ସ୍ୱେଚ୍ଛାସେବକ–ଏମାନଙ୍କ ସେବାଟା ଅବା ସିମିତି ପାଇଯିବ...

 

 

ଗଣେଶ—

ଆରେ ସେ ବାଜେ କଥା ଛାଡ଼ । ଆଜି ଭୋଜନ ବ୍ୟବସ୍ଥା ପୁଣି କ’ଣ ହବ ? ଭୋକରେ ପେଟ ମୋର କଇଁ କଇଁ ଡାକିଲାଣି । ଗୋଟେ କିଛି ଉପାୟ ନ କଲେ ତ ନ ଚଳେ ।

 

 

ସୁରେଶ—

ଆଉ ଉପାୟ କ’ଣ ! ଆଜି ବୀରେଶର ଦାତବ୍ୟ ବ୍ୟାଙ୍କ ଉପରେ ନିର୍ଭର କରାଯାଉ ।

 

 

ବୀରେଶ—

ମୋ ଉପରେ ନିର୍ଭର କରିବ ? ମତେ ତୁମେ ଆଉ ରଖିଚ ? ହଇରେ ଭେକ ଧରିଚ କ’ଣ ନା ସମସ୍ୟା-ସମାଧାନ ସଂଘର ଅନରାରୀ ସଭ୍ୟ, କିନ୍ତୁ ତୁମେ ଖାଉଚ ଏତିକି । ସଂଘ ଗଢ଼ିବାର ସାତମାସ ହେଇନି ତୁମେ ସାରା ସହରଟାକୁ ଖାଲି ଧାରରେ ଟୋକିଦେଇ ସାରିଲଣି । ଯୁଆଡ଼େ ଗଲ ସେ ଆଡ଼େ ବାକି ।

 

 

ଗଣେଶ—

ଓଃ, ସେମିତି ବେସ୍ତ ହେଉଚୁ କାଇଁକି । ବିନା ବାକିରେ ଏତେ ବଡ଼ ଲୋକହିତକର ଅନୁଷ୍ଠାନ ଚଳନ୍ତା କିମିତି ? ଆଚ୍ଛା ବୀରେଶ, ସୁରେଶ ଆଜି ଗୋଟେ ବୁଦ୍ଧି ଖଟେଇ ଏ ଅଚଳନ୍ତି ଅଣି ଆଉ ଘଷରା ପଇସା ସାହାଯ୍ୟରେ କୁଠି ଗଣ୍ଡେ ଖାଇବାର ବ୍ୟବସ୍ଥା କରାଯାଉ ।

 

 

ସୁରେଶ—

ୟାକୁ ନବ କିଏ ?

 

 

ବୀରେଶ—

କେହି ଛୁଇଁବେନି ।

 

 

ଗଣେଶ—

ମୁଁ ଭାବୁଚି ଗୋଟେ ବୁଦ୍ଧି ପ୍ରୟୋଗ କଲେ........

 

 

ସୁରେଶ—

କି ବୁଦ୍ଧି ଆଉ ତୁ ଏଥିରେ ପ୍ରୟୋଗ କରିବୁ ?

 

 

ଗଣେଶ—

ଆଜି ଚାଲ ଗୋଟେ କୁଠି ସୁବିଧାଜନକ ହୋଟଲ ଦେଖି, ତା’ ଭିତରେ ପଶି ଜମେଇ ବସିବା...

 

 

ସୁରେଶ—

ସେଇଟା ତ ଆମର ଚିର ଅଭ୍ୟାସ ।

 

 

ଗଣେଶ—

ତା’ପରେ ଖାଇ ସାରି ତୁ ମୁଁ ଆଗ ଚାଲି ଆସିବା । ଦୋକାନୀ ପଇସା ମାଗିଲେ ବୀରେଶକୁ ଦେଖେଇ କହିବା ଆମ ସଭାପତି ପଛରେ ଅଛନ୍ତି...

 

 

ସୁରେଶ—

ସେ ସବୁ ପଇସା ଦେଇଦେବେ । The idea ଗଣେଶ ଦା The idea.

 

 

ବୀରେଶ—

ହଁ ! ଅନ୍ୟବେଳକୁ ତୁମେ ଦିହିଁକି ଦିହେଁ ମାମଲତକାର ହବ, ଯୁଠି ଯା ପାଇବ ତାକୁ ଚଳୁ କରିଦବ । ଆଉ ମାଡ଼ ଖାଇଲା ବେଳକୁ ମୁଁ ସଭାପତି, ନା ?

 

 

ଗଣେଶ—

ତୋର ଆଉ ଅସୁବିଧା କ’ଣ ହବ ଯେ ? ତତେ ତ ବେଶ୍‌ କହିବୋଲି ଆସେ । ଆମେ ଆସିଲା ପରେ ତୁ ପକେଟ ଦରଣ୍ଡା ଦରଣ୍ଡି କରି ମନିବ୍ୟାଗଟା ଛାଡ଼ି ଆସିବାର ଛଳନା କରିବୁ । ତା’ପରେ ଏ ନଶ୍ୱର ଜଗତରେ ଭୁଲକରିବା ମଣିଷର ପ୍ରକୃତି–ଏଇ କଥାବସ୍ତୁ ନେଇ ଗୋଟେ ସୂକ୍ଷ୍ମ ବକ୍ତୃତା ଦେଇ ସୂତ୍ରେ ଖସି ଆସିବୁ ।

 

 

ବୀରେଶ—

ସେ ମତେ ଇମିତି ଛାଡ଼ିଦବ ?

 

 

ସୁରେଶ—

ଯଦି ନ ଛାଡ଼ିବ, ତେବେ ତାକୁ ଏ ପାଞ୍ଚପଇସା ଦେଇ ବାକିତକ ବାକି ରହିଲା କହି ଚାଲି ଆସିବୁ ।

 

 

ବୀରେଶ—

ଚାଲି ଆସିବି । ବଞ୍ଚିଲେ ସିନା ଚାଲି ଆସିବି ।

 

 

ସୁରେଶ—

କାଇଁ, ତୋର କ’ଣ ହେଇଯିବ କି ?

 

 

ବୀରେଶ—

କ’ଣ ହେଇଯିବ ! ଏ ଅଚଳନ୍ତି ଅଣି ଆଉ ଘଷରା ପଇସା ଦେଖିଲେ ସେ ଦୋକାନୀ ଆଉ ମତେ ଜୀବନରେ ରଖିବ ? ସେଗୁଡ଼ା ଏତେ ଘଷରା ଯେ ଅନ୍ଧ ବି ତାକୁ ବାରିଦବ ?

 

 

ଗଣେଶ—

ଆହା ସେଇଠି ତ brainର କାମ । ସେ ଦୋକାନୀର ଟିକେ Psycology study କରିଦବୁ । ସେ ଯେତେବେଳେ କାର୍ଯ୍ୟରେ ବେସ୍ତ ରହି ଅନ୍ୟମନସ୍କ ଥିବ ସେତିକିବେଳେ ତାକୁ ଏ ପଇସା ଧରେଇଦେଇ ମାରିବୁ ଚମ୍ପଟ୍‌...

 

 

ବୀରେଶ—

ଖାଲି ଏ ପରକୁ ବତେଇବା ବୁଦ୍ଧି । ଇମିତି କଲେ ସେ ଏ ପଇସାକୁ ରଖିବ ?

 

 

ଗଣେଶ—

ଆମରେ ସେ କ’ଣ ତାକୁ ଚିରଦିନ ରଖୁଚି । ସେ ପୁଣି, ତାକୁ କାହାକୁ ଦେଇଦବନି । ନାଇଁ ଯଦି ସେ ନିତାନ୍ତ ନ ନେଲା, ସବୁତକ ବାକି ରହିଲା କହି ତୁ ଚାଲିଆସିବୁ ।

 

 

ସୁରେଶ—

ନିଶ୍ଚୟ ! ସେ ପାଞ୍ଚ ପଇସା ତ ଆମର ଏକମାତ୍ର ପୁଞ୍ଜି, ହଠାତ୍‌ ତାକୁ ହରେଇ ବସିଲେ ଆମର ବି ହାଁ ପଶିଯିବ ।

 

 

ବୀରେଶ—

ନା, ନା, ମୁଁ ଏକୁଟିଆ ଏସବୁ ପାରିବନି । ଚାଲ ସମସ୍ତେ ଉଦ୍ୟମ କରିବା, ଯାହା ଭାଗ୍ୟରେ ଥିବ ।

 

 

ସୁରେଶ—

ଆଜି ତେବେ କୁଆଡ଼େ ଯିବା । ସବୁଆଡ଼େ ତ ଦୋକାନୀ ଜାଣିଲେଣି ।

 

 

ଗଣେଶ—

ଆଜି ଷ୍ଟେସନ ଆଡ଼େ ଚାଲ । ଆଉ ଦେଖ ହୋଟେଲକୁ ଗଲେ ଇମିତି ଗୋଟେ ଦି’ଟା ଶସ୍ତା ଗରିଷ୍ଠିଆ ଜିନିଷ ଧରିବ, ଯେ କି ପେଟରେ ଦି’ଦିନ ଯେ ରହିଥିବ ।

 

 

ବୀରେଶ—

ପୃଥିବୀରେ ଇମିତି କିଛି ଜିନିଷ ଅଛି ଯେ ତୁମ ପେଟରେ ଦି’ଦିନ ରହିବ । ତୁମେ ତ ଗୋଡ଼ି ଗୁଡ଼ାଏ ଗିଳିଲେ ବି ଘଡ଼ିକେ ଭସ୍ମ କରିଦବ !

 

 

ସୁରେଶ—

ଗଣେଶ ଦା ! ହେଇ କିଏ ଆସୁଚି !

 

 

[ଗଣେଶ ଏକା ଲୟରେ ଆଗନ୍ତୁକଙ୍କ ଆଡ଼କୁ ଚାହିଁଥାଏ]

 

 

ଗଣେଶ ଦା ! ଗଣେଶ ଦା !

 

 

ଗଣେଶ—

ଆବେ ରହ, ସବୁବେଳେ ଗଣେଶ ଦା ଗଣେଶ ଦା ! ସତେ ଯିମିତି ଜନମ କଲା ଭାଇ । ଏଣେ ଘଟଣା କ’ଣ ହେଲାଣି ନା !

 

 

ସୁରେଶ—

ତୁ ଇମିତି ରାଗିଯାଉଚୁ କାଇଁକି ଗଣେଶ ଦା ! ଗୋଟେ ଲୋକ ଆସୁଚି ବୋଲି... ।

 

 

ଗଣେଶ—

ଗୋଟେ ଲୋକ ଆସୁଚି ବୋଲି ତୁ ମତେ ନାଁ ଧରି ଡାକିବୁ ! ସେ ଯଦି ଗୁଇନ୍ଦା ହେଇଥିବ ।

 

 

ସୁରେଶ—

ଗୁଇନ୍ଦା ହେଇଥିବ ! ଗଣେଶ ଦା । ଗଣେଶ ଦା !

 

 

[ବଡ଼ ବିବ୍ରତ ହେଲା]

 

 

ଗଣେଶ—

ଦେଖ ! ଏ କୁଠି ସଂଘ ଗଢ଼ି ପେଟ ପୋଷିବେ । ଗୁଇନ୍ଦା ଆସୁ ଯେ ଆସୁ, ସେ ଆମର କ’ଣ କରିବ, ଆମେ କ’ଣ ଚୋରୀ କରୁଚୁ ନା ରାଜନୀତି କରୁଚୁ ।

 

 

ବୀରେଶ—

ଆମେ ତ ଗୋଟେ ଜନହିତକର ତଥା ସାଂସ୍କୃତିକ ଅନୁଷ୍ଠାନ ଗଢ଼ିଚୁ.....

 

 

ସୁରେଶ—

ଦେଶ-ଦଶର ଉପକାର ପାଇଁ ।

 

 

ଗଣେଶ—

ଆଉ ଦୁସ୍ଥ ଦୁନିଆର ମଙ୍ଗଳ କାମନାରେ ।

 

 

[ତିନି ବୀରଯାକ ଭିତରକୁ ଚାଲିଗଲେ]

 

ଦ୍ୱିତୀୟ ଦୃଶ୍ୟ

 

[ପ୍ରବେଶ କଲେ ଜଣେ ଯୁବକ । ବେଶଭୂଷା ସାଧାରଣ, ଢଙ୍ଗ ରଙ୍ଗରୁ ଜଣାଯାଉଛି ସେ ଜଣେ ଶିକ୍ଷିତ ବେକାର । ସେ ଯେପରି କ’ଣ ଖୋଜୁଥାନ୍ତି । ସେ ସମସ୍ୟା-ସମାଧାନ-ସଂଘ ଅଫିସ୍‌ର ନାମପଟାଟା ଦେଖି ଅଟକି ଗଲେ । ପ୍ରବେଶ କଲେ ବୀରେଶ ଓ ସୁରେଶ । ସେମାନେ କୌଣସି କାମରେ ବ୍ୟସ୍ତ ହୋଇ ଚାଲି ଯିବାର ବାହାନା କଲେ]

 

 

ଯୁବକ—

ଆଚ୍ଛା, ଆପଣମାନେ ?

 

 

ସୁରେଶ—

ସମସ୍ୟା-ସମାଧାନ-ସଂଘର ଅନରାରୀ ସଭ୍ୟ !

 

 

ବୀରେଶ—

ଅନାହାରୀ ବି ।

 

 

ଯୁବକ—

ଅନାହାରୀ ?

 

 

ବୀରେଶ—

ହଁ ଅନାହାରୀ । ମାନେ, ଏ ସଂଘରୁ ପଇସାଟିଏ ସୁଦ୍ଧା ଆମେ ନିଜ ଖର୍ଚ୍ଚ ପାଇଁ ନଉନା ।

 

 

ଯୁବକ—

କିନ୍ତୁ ଆଜିକାଲିକା କୌଣସି ସଂଘ-ସମିତିରେ ତ ଏ ଦୁର୍ଲକ୍ଷଣ ଦେଖାଯାଏନି ? ଅନ୍ତତଃ ଭତ୍ତା କି ଗସ୍ତଖର୍ଚ୍ଚ ।

 

 

ଗଣେଶ—

(ପ୍ରବେଶ କରି) ନା, ସେସବୁ କିଛି ନାହିଁ, ସଂଘର ପାଣ୍ଠିକୁ ଆମେମାନେ ଆଦୌ ସିମିତି ଅପବ୍ୟୟ କରୁନି ! ଆମେମାନେ ପୂରା ଅବୈତନିକ, ଅଭୈତନିକ......

 

 

ସୁରେଶ—

ସଭ୍ୟ !

 

 

ଯୁବକ—

ଆପଣମାନେ ତେବେ ବିଖ୍ୟାତ ସମସ୍ୟା-ସମାଧାନ ସଂଘର......

 

 

ସୁରେଶ—

ତ୍ରିମୂର୍ତ୍ତି !

 

 

ବୀରେଶ—

Three musketeers

 

 

ଗଣେଶ—

ତ୍ରିଶକ୍ତି ।

 

 

ଯୁବକ—

କିନ୍ତୁ ଆପଣମାନଙ୍କର ଏ ବେଶ କାଇଁକି ? ଜଣେ ଡି.ଡି.ଟି. ପକାଳି ପରି, ଜଣେ ଛୁଞ୍ଚିସୂତା ଗନ୍ଧକର୍ପୂର ବିକାଳି ପରି, ଆଉଜଣେ ଯିମିତି ବିବେକାନନ୍ଦଙ୍କ ପଟ୍ଟଶିଷ୍ୟ !

 

 

ଗଣେଶ—

ସେଟା ଆମର ଭେକ ଆଜ୍ଞା । ବିନା ଭେକରେ ତ ଭିକ ମିଳିବା ସମ୍ଭବ ନୁହେଁ ।

 

 

ସୁରେଶ—

ଆମେ ଲୋକଙ୍କ ମନୋଭାବ ଲକ୍ଷ୍ୟକରି ବୁଝିପାରଚୁ ଠିକ୍‌ କଥାଟା କହିଲେ ପଇସାଟିଏ କେହି ଦେବେନି ।

 

 

ଯୁବକ—

କିନ୍ତୁ ଗୋଟେ କିଛି ମଉକା ଦେଖେଇ ତାଙ୍କର ସର୍ବସ୍ୱ ଅପହରଣ କରିବା ଅସମ୍ଭବ ନୁହେଁ । ଆପଣମାନଙ୍କ ସଂଘର କର୍ମକ୍ଷେତ୍ର ତେବେ କୁଠି ?

 

 

ବୀରେଶ—

ଦେଶସାରା । ସର୍ବତ୍ର !

 

 

ସୁରେଶ—

ମାତ୍ର ସେହି ଅସାମାନ୍ୟ ଅନୁଷ୍ଠାନର ସାମାନ୍ୟ ଅଫିସ୍‌ ହେଲା ଏଇଠି ।

 

 

ଯୁବକ—

ଏଇ ଭଙ୍ଗାଦଦରା ଅଫିସ୍‌ । କାଇଁ ଭଲ ଘର କୁଠି ଭଡ଼ା ମିଳୁନି କି ?

 

 

ଗଣେଶ—

ନା, ଆମ ମହତ୍‌ ଆଦର୍ଶ ଦୃଷ୍ଟିରୁ ଆମେ ଗର୍ବ-ଆଡ଼ମ୍ୱରକୁ ଚିରଦିନ ପାଇଁ ବର୍ଜନ କରିଚୁ । ମହାତ୍ମା ଗାନ୍ଧି ତ ପୁଣି ବୋମ୍ୱେ, କଲିକତା, ଦିଲ୍ଲୀ ଛାଡ଼ି ଯାଇଁ ସେବାଗ୍ରାମରେ କୁଡ଼ିଆ ତିଆରି କରି ରହୁଥିଲେ ।

 

 

ବୀରେଶ—

ତା’ପରେ ଆମେ ଦେଶର ଚାରିଆଡ଼େ ସଂଘର ମହିମା ପ୍ରଚାର କରିବାକୁ ବାହାରିଚୁ କିନା, ତେଣୁ ଆମେ ଗୋଟେ ବିରାଟ ଅଫିସ୍‌ ଖୋଲି ସେଥି ଭିତରେ ଆମ ପ୍ରତିଭା, ଆମ କାର୍ଯ୍ୟକଳାପକୁ ସୀମାବଦ୍ଧ କରିବାକୁ ଚାହୁଁନା ।

 

 

ସୁରେଶ—

ତେଣୁ ଆମେ ଚାରିଆଡ଼େ Open air office କରୁଚୁ ।

 

 

ଗଣେଶ—

ହଁ, ରାଜପଥର କୌଣସି ଗଛତଳେ, ଫୁଟ୍‌ପାଥର କୌଣସି କଣରେ, ଧର୍ମଶାଳାର ବାରଣ୍ଡାରେ, ଆମକୁ ପାଇପାରିବେ ।

 

 

ଯୁବକ—

ଭଲ କରିଚନ୍ତ । ଏ ଘରବାଲାଗୁଡ଼ାଙ୍କର ଯୁ ଅତ୍ୟାଚାର ନା ? ତା’ପରେ ଯେ ଯୁଠି କାମ କଲେ ସମସ୍ତେ ତ ପଇସା ଖୋଜିଲେ, ତେଣୁ ଆପଣମାନେ ବିନା ପଇସାରେ ଏ ଯେ ରାଜପଥ ଧର୍ମଶାଳା ନେଇ କାମ ଚଳେଇ ନଉଚନ୍ତି ସେଟା ବେଶ୍‍ ଭଲ ।

 

 

ଗଣେଶ—

ହେଲେ ଆପଣ ଆମକୁ ଖୋଜୁଥିଲେ କାଇଁକି ବାବୁ ?

 

 

ଯୁବକ—

ଶୁଣିଲି ଆପଣମାନଙ୍କ ପାଖରେ ଚାକିରି କ’ଣ ଖାଲି ଅଛି ।

 

 

ସୁରେଶ—

ହଁ, ଅଛି ତ ।

 

 

ଯୁବକ—

କେତେଟା ପୋଷ୍ଟ ଖାଲି ଅଛି ?

 

 

ଗଣେଶ—

ତା’ର କ’ଣ ସୁମାରି ଅଛି । ନିତି ନୂଆ ନୂଆ ବିଭାଗ ଖୋଲୁଚି, ନିତି ନୂଆ ନୂଆ ଲୋକ ନିଆ ଯାଉଚନ୍ତି ।

 

 

ଯୁବକ—

ଏତେ ଲୋକ କ’ଣ ଦରକାର ହଉଚନ୍ତି ?

 

 

ଗଣେଶ—

ବୁଝୁ ନାହାନ୍ତି ? କାମ ପାଇଁ ଲୋକ, ଲୋକଙ୍କ ପାଇଁ କାମ । ଗୁଡ଼ିଏ ଲୋକ ନ ହେଲେ କ’ଣ ଆଜିକାଲି କୌଣସି ଅନୁଷ୍ଠାନ ଚଳିପାରୁଚି ।

 

 

ଯୁବକ—

ଆଚ୍ଛା ମତେ ଗୋଟେ ଚାକିରି ଦେଇ ପାରିବେ ?

 

 

ସୁରେଶ—

ନିଶ୍ଚୟ ଦେବୁ । ଆପଣମାନଙ୍କୁ ଚାକିରି ଦବୁନି ତ ଏ ସଂଘ ଗଢ଼ିଚୁ କାଇଁକି ?

 

 

ଯୁବକ—

ଆଚ୍ଛା, ଆପଣମାନଙ୍କର କି ଯୋଗ୍ୟତା ଲୋଡ଼ା ?

 

 

ଗଣେଶ—

ସେମିତି କିଛି ବିଶେଷ ଯୋଗ୍ୟତା ଦରକାର ନାଇଁ । କେବଳ କିଛି କହିବୋଲି ପାରୁଥିବ ।

 

 

ଯୁବକ—

କହି ବୋଲିବା ଉପରେ ଏତେ ଜୋର୍‌ କାଇଁକି ?

 

 

ସୁରେଶ—

ଆହା-ହା ଆମ ଗଣତନ୍ତ୍ର ରାଷ୍ଟ୍ରରେ ଏଇଟା ଗୋଟେ ଲୋକହିତକର ଅନୁଷ୍ଠାନ-। ବକ୍ତୃତା କରି ଲୋକଙ୍କୁ ନ ବୁଝେଇଲେ...

 

 

ଯୁବକ—

ଏତେ ବୁଝେଇବା ଦରକାର କ’ଣ ? ଭଲ କାମ କଲେ ଲୋକ ବିନା ଛାଏଁ ଜାଣି ଯିବେନି ?

 

 

ସୁରେଶ—

ସେଇଠି ତ ଆପଣଙ୍କର ଭୁଲ ରହିଯାଉଚି । ଲୋକଙ୍କର ତ କିଛି କମ୍‌ ଅଭାବ ଅସୁବିଧା ନାହିଁ କି କମ୍‌ ସେବା ସାହାଯ୍ୟ ଦରକାର ହଉନି । ଆମେ କ’ଣ କରିପାରିବୁ ?

 

 

ବୀରେଶ—

ଯାହା ନ କରିପାରିବୁ, ସେଟା ବକ୍ତୃତାଦ୍ୱାରା ଚଳେଇ ନବୁ ।

ଯୁବକ—

ହଁ, ଗାଁକୁ ଗାଁ ରାସ୍ତା ତିଆରି, ସବୁ ଜିନିଷ ଶସ୍ତାରେ ମିଳିବ, କୂଅ ଖୋଳାଯିବ, ନଈରେ ବନ୍ଧ ହବ ଇମିତି ଗୋଟେ ରଙ୍ଗୀନ ଚିତ୍ର ଦେଖେଇ........

ଗଣେଶ—

ଭବିଷ୍ୟତର ରଙ୍ଗୀନ ପରିକଳ୍ପନାରେ ଏ ଦେଶ ବଞ୍ଚିରହିଚି ଆଜ୍ଞା । ଏହାର ବର୍ତ୍ତମାନ ବୋଲି କ’ଣ କିଛି ଅଛି ?

ଯୁବକ—

ଆଚ୍ଛା ମତେ ତେବେ କି କାମ କରିବାକୁ ହବ ?

ଗଣେଶ—

ଆପଣଙ୍କୁ ! (ଟିକିଏ ଚିନ୍ତା କରି) ଆପଣ କିଏ କି ଚାକିରି ପାଇଁ ଆସୁଚି ତା’ର ଗୋଟେ ମୋଟାମୋଟି ହିସାବ ରଖନ୍ତୁ ନା ।

ଯୁବକ—

ଏଇଟା କି କାମ । ମତେ ଲାଗୁଚି ମୋ’ପାଇଁ ଆପଣମାନେ ଏ କାମ ସୃଷ୍ଟି କରି...

ସୁରେଶ—

ସେ ଚାକିରିରେ ଆପଣଙ୍କୁ appoint କରୁଚୁ, ଆପଣଙ୍କ ଅନ୍ଦାଜ ସମ୍ପୂର୍ଣ୍ଣ ସତ୍ୟ-

ଯୁବକ—

ଏପରି କରିବାର ଅର୍ଥ ?

ଗଣେଶ—

କାମ ସୃଷ୍ଟି ନ କଲେ ଏତେ ଲୋକଙ୍କ ପାଇଁ ଚାକିରି ଆସିବ କୁଆଡ଼ୁ ?

ଯୁବକ—

ଆଚ୍ଛା ମତେ କ’ଣ କିଛି Bond କିମ୍ୱା Security ଦବାକୁ ହବ ?

ବୀରେଶ—

ନା, ସେ ସବୁ କିଛି ଦରକାର ନାଇଁ । କେବଳ କିଛି ଫିସ୍‌ ।

ଯୁବକ—

କି ଫିସ୍‌ !

ଗଣେଶ—

ଚାକିରିରେ ଭର୍ତ୍ତି ହବା ଆଗରୁ ଆପଣଙ୍କୁ ଏ ସଂଘର ସଭ୍ୟ ହବାକୁ ପଡ଼ିବ । ତେଣୁ ସେଇ ସଭ୍ୟ ଚାନ୍ଦା ବା ଫିସ୍‌ଟା ଦେଇ ଦବାକୁ ଅନୁରୋଧ ।

ଯୁବକ—

ତା’ ମାନେ କିଛି cash ଦବାକୁ ହବ ।

ସୁରେଶ—

ନା, kindରେ ଦେଲେ ବି ଚଳିବ ।

ଯୁବକ—

ମାନେ ?

 

ବୀରେଶ–ମାନେ କିଛି ସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଲେ ଆପଣ ସଭ୍ୟ ହୋଇପାରିବେ ।

ଯୁବକ—

cash ଆଦାୟ ନ କରି ଜିନିଷ ନବା ପାଇଁ ଏ ବ୍ୟବସ୍ଥା କାଇଁକି ?

ଗଣେଶ—

ଅଭାବଗ୍ରସ୍ତ ଦେଶ କିନା କିଛି cash ଦବା ସମସ୍ତଙ୍କ ପକ୍ଷରେ ସମ୍ଭବ ନ ହୋଇପାରେ । କିନ୍ତୁ କିଛି ନୂଆ ପୁରୁଣ ଜିନିଷ ଯୋଗାଡ଼ କରିବା କଷ୍ଟକର ହବନି ।

 

 

ଯୁବକ—

ଆଚ୍ଛା, କହୁଚନ୍ତି ଆପଣଙ୍କର ଦେଶସେବା ଅନୁଷ୍ଠାନ ବୋଲି, ପୁଣି ଏସବୁ କ’ଣ-?

 

 

ଗଣେଶ—

ମାନେ କିଛି ସେକୁରିଟି ଲୋଡ଼ା ।

 

 

ଯୁବକ—

ସେକୁରିଟିଏ ଦରକାର କ’ଣ ?

 

 

ସୁରେଶ—

ଦରକାର ଏଇଥି ପାଇଁ ଯେ, ଆମେ ଏତେ ବଡ଼ ସାଧୁ ସାଂସ୍କୃତିକ ଅନୁଷ୍ଠାନ ଗଢ଼ୁଚୁ, ଯଦି କେହି ଅସାଧୁ ଲୋକ ସେଥିରେ ପଶି ଗୋଳମାଳ କରେ ।

 

 

ବୀରେଶ—

ତେଣୁ ଏ ସେକୁରିଟି ବ୍ୟବସ୍ଥାଟି ରଖିଦେଉଚୁ ।

 

 

ଯୁବକ—

ତେବେ କି ଜିନିଷ ଦରକାର ମତେ କହନ୍ତୁ ।

 

 

ଗଣେଶ—

ଘଣ୍ଟା, ସାଇକେଲ ଯାହା ହେଲେ ଚଳିବ । ସେକେଣ୍ଡହାଣ୍ଡ ହେଲେ ସବୁଠାରୁ ଭଲ ।

 

 

ଯୁବକ—

ସେକେଣ୍ଡହାଣ୍ଡ ଜିନିଷ ପ୍ରତି ଏତେ ମମତା କାଇଁକି ?

 

 

ସୁରେଶ—

ସେକେଣ୍ଡହାଣ୍ଡ ଜିନିଷକୁ ଦରକାର ହେଲେ ସୁବିଧାରେ ବିକି ହବ; କିନ୍ତୁ ନୂଆ ଜିନିଷ କଟିବା ବଡ଼ କଷ୍ଟ ।

 

 

ଗଣେଶ—

ସତେ ଆଜ୍ଞା, ସେକେଣ୍ଡହାଣ୍ଡ ଜିନିଷ ଶସ୍ତାରେ ଦେଲେ ଶହ ଶହ ଜିନିଷ ମୁହୂର୍ତ୍ତକେ ବିକ୍ରି ହେଇପାରିବ....

 

 

ଯୁବକ—

କିନ୍ତୁ ନୂଆ କିଛି ଏ ଦେଶରେ ପୂରା ଅଚଳ । ତେଣୁ ଦେଶ କାଳ ପାତ୍ରକୁ ଚାହିଁ ଏ ବ୍ୟବସ୍ଥା କରିଚନ୍ତି ।

ଗଣେଶ—

ଆପଣ ଠିକ୍‌ ବୁଝିପାରିଚନ୍ତି ଆଜ୍ଞା ।

 

 

ଯୁବକ—

ମୁଁ ତେବେ ଯାଉଚି, ଏସବୁ ବ୍ୟବସ୍ଥା କରି ଆସିବି ।

 

 

ଗଣେଶ—

ଆଜି କିଛି ସଂଘକୁ ଦିଅନ୍ତୁ ।

 

 

ଯୁବକ—

ମୋ ପାଖରେ ତ କିଛି ନାଇଁ ।

 

 

ସୁରେଶ—

କିଛି ନାଇଁ ! ଦେଖନ୍ତୁ କ’ଣ ଥିବ । ଆପଣଙ୍କ ପରି ଭଦ୍ରଲୋକ ନିତାନ୍ତ ରିକ୍ତ ହସ୍ତରେ କ’ଣ ବାହାରକୁ ବାହାରିଚନ୍ତି ।

 

 

ଯୁବକ—

ଭଦ୍ରଲୋକ ହେଲେ କ’ଣ ହବ, ବେକାର ଯେ !

 

 

ଗଣେଶ—

ଦେଖନ୍ତୁ ଦେଖନ୍ତୁ କିଛି ଥିବ ।

 

 

ଯୁବକ—

ନାଇଁ, କିଛି ନାଇଁ, ଏଇ ପୁରୁଣା ପେନ୍‌ସିଲ୍‌ଟା ।

 

 

ଗଣେଶ—

ସେଇଟା ହେଲେ ଦେଇ ପକାନ୍ତୁ, ଆମର ତ ନୀତି ହେଲା ଅଳପ ବହୁତେ ସନ୍ତୁଷ୍ଟ, କେବେ ନ ହବ କଳପଣା ।

 

 

ଯୁବକ—

ଆଚ୍ଛା ନିଅନ୍ତୁ । ହେଲେ ଏ ପୁରୁଣା ପେନ୍‌ସିଲ୍‌ଟା ନେଇ କରିବେ କ’ଣ ?

 

 

[ଗଣେଶ, ସୁରେଶ ଓ ବୀରେଶ ପ୍ରତ୍ୟେକେ ପେନ୍‌ସିଲ୍‌ଟା ନେବାକୁ ଚଷ୍ଟା କରୁଥିଲେ; କିନ୍ତୁ ଗଣେଶ ତାକୁ ମାରିନେଲା]

 

 

ଗଣେଶ—

ଅଫିସ୍‌ କାମରେ ଲାଗିବ ।

 

 

ଯୁବକ—

ଅଫିସ୍‌ କ’ଣ ଆପଣଙ୍କର ଏତେ ଅଭାବଗ୍ରସ୍ତ ।

 

 

ବୀରେଶ—

ଆଦୌ ନୁହେଁ । କେବଳ ନୀତି ଦୃଷ୍ଟିରୁ ମୁଷ୍ଟି ଭିକ୍ଷା ।

 

 

ଯୁବକ—

ମୁଁ ତେବେ ଯାଉଚି ।

 

 

ଗଣେଶ—

ଯାନ୍ତୁ । କିନ୍ତୁ ବେଶି ଡେରି କରିବେନି । ଯେତେ ଶୀଘ୍ର ପାଇବେ, ଆମ ସାଙ୍ଗେ ଆସି ଦେଖା କରନ୍ତୁ । ଚାକିରି ପାଇଁ ଆଜିକାଲି ଯେ Rush !

 

 

[ଯୁବକଟି ଚାଲିଗଲେ]

 

 

ବୀରେଶ—

(ଟିକିଏ ଅପେକ୍ଷା କରି) ଦେ ନା ଗଣେଶ ସେ ପେନ୍‌ସିଲ୍‍ଟା ଧାର ଉଦାର ସୂତ୍ରରେ ।

 

 

ଗଣେଶ—

ଏଁ, ତତେ ଦେବି । ତୋ ଦାତବ୍ୟ-ବ୍ୟାଙ୍କର କାର୍ଯ୍ୟକ୍ରମ କ’ଣ ମୋ ଉପରେ ଚାଲୁ କରିବାକୁ ବସିଲୁଣିକି ? ଦେଖୁଚୁ ଏତେ କଷ୍ଟରେ ଅଧା ପେନ୍‌ସିଲ୍‌ ଖଣ୍ଡେ ଯୋଗାଡ଼ ହେଲା ।

 

 

ବୀରେଶ—

ହେଲେ ସେଇଟା ମତେ ଦେଇ ପକା । ତୋ ପରି ବିରାଟ ଲୋକର ଏ ଛୋଟ ପେନ୍‌ସିଲ୍‌ ଖଣ୍ଡକ କ’ଣ ହବ ?

 

 

ସୁରେଶ—

(ବୀରେଶ ପ୍ରତି) ଆରେ କାଇଁ ମିଛରେ ଗୋଳମାଳ କରୁଚ ? ସେଥିରେ କ’ଣ ପେଟ ପୂରିବ ?

 

 

ଗଣେଶ—

କେଜାଣି । ମୁଁ ତାକୁ ରଖିଚି ଅଫିସ୍‌ କାମ ପାଇଁ ।

 

 

ବୀରେଶ—

ଅଫିସ୍‌ କାମ ? ଇଲେ ତ ତୁ ତାକୁ Sales and Servicesରେ ଦେଇ ପଇସେ ଦି’ପଇସା ମାରି ଆଣିବୁ ।

 

 

ଗଣେଶ—

ସେଥିରେ ତୋର କ୍ଷତି କ’ଣ ? ସଂଘର ତ କିଛି ଆୟ ହେଇଯିବ ।

 

 

ସୁରେଶ—

ସଂଘ ? Individual efortsର ଦ୍ୱାହି ଦେଇ ତୁ ତାକୁ ଚଳୁ କରିଦବୁ ।

 

 

ବୀରେଶ—

ଆଚ୍ଛା ଗଣେଶ ଦା, ଚାଲ ସୁରେଶର କିଛି ଜିନିଷ Sales & Servicesରେ ଦେଇ ଆଜିର ଗୁଜରାଣ ମେଣ୍ଟାଇବା ।

 

 

ଗଣେଶ—

ମନ୍ଦ ପ୍ରସ୍ତାବ ନୁହେଁ, ଚେଷ୍ଟା କରାଯାଉ ।

 

 

ସୁରେଶ—

ଏ ଜିନିଷଗୁଡ଼ାକ ମୁଁ ଦେବି Sales & Servicesରେ ? ତା’ର ଯୁଁ ଦଲାଲ ସବୁ ଇଲେ ୟାକୁ fourth-hand କି tifth-hand ଭାଉରେ ମାରିନେବେ-। ମୋର ନୂଆ ଜିନିଷଗୁଡ଼ାକ । ମୁଁ ସେ ଦୋକାନୀଠୁଁ ଆଣିଚି ବିକ୍ରି କରିବାକୁ କମିଶନ୍‌ ସୂତ୍ରରେ......

 

 

ଗଣେଶ—

କି ଚୋରୀ କରି ଆଣିଚୁ ?

 

 

ସୁରେଶ—

ଦେଖ୍‌ ଗଣେଶ ଦା, ଏଇଟା ତୋର କିନ୍ତୁ ମହା ଅନ୍ୟାୟ । ସମସ୍ୟା-ସମାଧାନ ସଂଘରେ ମୁଁ ତୋର ସହକର୍ମୀ, ତୁ ମୋର ଏପରି କୁତ୍ସା କରୁଚୁ ।

 

 

ବୀରେଶ—

ଚୋରୀ ଜିନିଷ ଯଦି ନୁହେଁ, ତୁ ଇଲେ ତାକୁ ସବୁ ସେକେଣ୍ଡହାଣ୍ଡ ରେଟରେ ଦବୁ ବୋଲି ସେ ଲୋକକୁ କହୁଥିଲୁ କିମିତି ?

 

 

ସୁରେଶ—

ଗୋଟେ ବିଶ୍ୱାସ ଜନ୍ମେଇ ଦେବି ବୋଲି ତାକୁ ସିମିତି କହୁଥିଲି ନା । ସତେ କ’ଣ ଦେଇଥାନ୍ତି । ତେବେ ନେଇଥାନ୍ତା ଯଦି ତାକୁ ଗୋଟେ ଛୋଟିଆ ଜିନିଷ କ’ଣ ଦେଇଥାନ୍ତି, ତେଣେ ଦୋକାନୀକି କହିଥାନ୍ତି ହଜିଗଲା ବୋଲି ।

 

 

ବୀରେଶ—

ସିମିତି ଗୋଟେ ଛୋଟିଆ ଜିନିଷ କ’ଣ ବାହାର କର, ସେଇଟାକୁ Sales & Services ବାଲାକୁ ଦେଇ ଆଜି ପେଟର ଦାବି ପୂରଣ କରିବା ।

 

 

ସୁରେଶ—

ସେ ଛୋଟ ଜିନିଷ ନେଇ କ’ଣ ପଇସା ଦବ ? ଏ ସବୁଯାକ ଜିନିଷ ଯଦି ପାଏ, ସେ ଟଙ୍କାଏ କି ଦ’ଟଙ୍କା ଦବ କି ନାଇଁ ସନ୍ଦେହ ।

 

 

ଗଣେଶ—

ବାସ୍ତବିକ୍‌ ସେ Sales and Services ବାଲା ନିତାନ୍ତ କମ୍‌ ଦାମରେ ଜିନିଷଗୁଡ଼ାକ ନେଇଯାଉଚି ।

 

 

ବୀରେଶ—

ତା’ ନ କରୁଥିଲେ ଏତେ ବଡ଼ ବ୍ୟବସାୟ କରୁଥାନ୍ତା କିମିତି । ନାଁ ତ Sales & Services. ଏ ରଦିମାଲର କାରବାର । କିନ୍ତୁ ଟଙ୍କା କଲାଣି କେତେ ?

 

 

ସୁରେଶ—

ଟଙ୍କା କରିବନି । ଯେତେକ ଚୋରୀମାଲ, ସେ ନୂଆ ହେଲେ ବି ସବୁ ନିହାତି ଶସ୍ତା ଦରରେ ନେଇଯାଉଚି ।

 

 

ବୀରେଶ—

ଆଚ୍ଛ, ଛାଡ଼ ସେ କଥା । ପେଟର ବ୍ୟବସ୍ଥା ଆଜି କ’ଣ ହବ, ସେ କଥା ଆଗ ଠିକ୍‌ କଲ ? ମତେ ଭାରି ଭୋକ ହେଲାଣି ।

 

 

ଗଣେଶ—

ଆରେ ଦେଖ, ଜଣେ କିଏ ଭଦ୍ରମହିଳା ଆସୁଚନ୍ତି, ତାଙ୍କଠୁଁ ଯିମିତି କିଛି ଆଦାୟ ହବ ତା’ର ବନ୍ଦୋବସ୍ତ କର ।

 

 

ସୁରେଶ—

ଦି’ ଦି’ଟା ଭଦ୍ରଲୋକଙ୍କ ସାଙ୍ଗେ ଲାଗି ଲାଗି ତ ଫଳ କିଛି ହେଲାନି । ଏ ଭଦ୍ରମହିଳା !

 

 

ଗଣେଶ—

ଭଦ୍ରମହିଳା ହେଲେ ଦୟାର ଅବତାର । ଭଦ୍ରଲୋକ ହତାଶ କଲେ ବୋଲି ସେ କ’ଣ ହତାଶ କରିବେ ?

 

 

ବୀରେଶ—

ହଁ ଭାଇ ଲାଗିଯାଅ । ଯିମିତି କିଛି ଆଦାୟ ହବ । ତା’ ନ ହେଲେ ମତେ ତ ଆଜିର ପେଟ ବ୍ୟବସ୍ଥା ପାଇଁ କିଛି ବାଟ ଦେଖାଯାଉନି ।

 

 

 

[ପ୍ରବେଶ କଲେ ଜଣେ ଭଦ୍ରମହିଳା–ଆଧୁନିକା ନାରୀଙ୍କ ବେଶ । କୌଣସି କାରଣରୁ ବଡ଼ ବିବ୍ରତ ଥିଲା ପରି ଜଣାପଡ଼ୁଚନ୍ତି ।]

 

 

ମହିଳା—

ଆପଣମାନେ ମୋ ପୁଅକୁ ଦେଖିଚନ୍ତି ? ଏଇଠି ଥିଲା । ଏ ଘରପୋଡ଼ି ଗୋଳମାଳରେ କୁଆଡ଼େ ପଳେଇଲା ।

 

 

ବୀରେଶ—

କୁଆଡ଼େ ପଳେଇଲେ ? ତେବେ କିଛି ଚିନ୍ତା କରନ୍ତୁନି ଆଜ୍ଞା । ଆମ ସମାସ୍ୟା-ସମାଧାନ ସଂଘ ତାଙ୍କୁ ଖୋଜି ବାହାର କରିଦବ ।

 

 

ମହିଳା—

ସେ ପୁଣି କି ସଂଘ ! ଆଜିକାଲି ତ ବର୍ଷାଦିନର ଛତୁ ପରି ଲୋକେ ଗଣ୍ଡା ଗଣ୍ଡା ସଂଘ ସମିତି ଖୋଲି ଦେଶଟାକୁ ଛାରଖାର କରି ଦେଲେଣି ।

 

 

ଗଣେଶ—

ସବୁ ସଂଘ ସଙ୍ଗେ ଆମ ସଂଘକୁ ତୁଳନା କରନ୍ତୁନି ଆଜ୍ଞା । ଏଟା ଆମର ଗୋଟେ ନିତାନ୍ତ ଜନହିତକର ଅନୁଷ୍ଠାନ ।

 

 

ମହିଳା—

ଆପଣମାନେ ସେ ଅନୁଷ୍ଠାନରେ କ’ଣ କରନ୍ତି ?

 

 

ସୁରେଶ—

ଆମେମାନେ ସେ ସଂଘର ଅନରାରୀ ସଦସ୍ୟ ।

 

 

ମହିଳା—

ତେବେ ଆପଣମାନେ ଅନୁଗ୍ରହ କରି ଟିକେ ମତେ ସାହାଯ୍ୟ କରନ୍ତୁ । ମୁଁ ପିଲାଟିକୁ ଖୋଜି ଖୋଜି ନୟାନ୍ତ ହେଇଗଲିଣି ।

 

 

ବୀରେଶ—

ଆପଣ କିଛି ଚିନ୍ତା କରନ୍ତୁନି ଆଜ୍ଞା । ଆପଣଙ୍କ ପୁଅ ଏ ସହରର ଯୁଁଠି ଥିବେ, ଆମେ ଖୋଜି ବାହାର କରିଦବୁ ।

 

 

ମହିଳା—

ତେବେ ଯାନ୍ତୁ, ଆଉ ଡେରି କାଇଁକି ?

 

 

ଗଣେଶ—

ନାଇଁ ଆମେ ବାହାରିଲୁ । ଆପଣଙ୍କ କାମରେ ପୁଣି ହେଳା କରିବାର ଅଛି । ତେବେ–

 

 

ମହିଳା—

ତେବେ ?

 

 

ସୁରେଶ—

କିଛି ଚାନ୍ଦା ଦିଅନ୍ତୁ ଆଜ୍ଞା ।

 

 

ମହିଳା—

ଚାନ୍ଦା !

 

 

ସୁରେଶ—

ହଁ, ଆମ ସମସ୍ୟା-ସମାଧାନ ସଂଘକୁ ଚାନ୍ଦା । ଦେଶର, ଜାତିର ଏଇ ମହତ୍‌ ଅନୁଷ୍ଠାନକୁ କିଛି ସାହାଯ୍ୟ କରନ୍ତୁ ।

 

 

ମହିଳା—

କହୁଚନ୍ତି ଆପଣଙ୍କର ସେ ଗୋଟିଏ ଜନହିତକର ଅନୁଷ୍ଠାନ ବୋଲି । ସେଥିରେ ପୁଣି ଚାନ୍ଦା କ’ଣ ?

 

 

ଗଣେଶ—

ବିନା ଚାନ୍ଦାରେ ଆମ ସଂଘ ଚଳିବ କିମିତି ?

 

 

ମହିଳା—

ଆପଣମାନେ ବା ଚଳିବେ କିମିତି ? ଏ ଦେଶସାରା ଲୋକେ ଯିମିତି ଅନୁଷ୍ଠାନ ଗଢ଼ି ତାରି ନାଁରେ ଦାନ, ଚାନ୍ଦା, ଋଣ ଆଦାୟ କରି ଚଳୁଚନ୍ତି, ଆପଣମାନେ ସେମିତି ଗୋଟେ ସେବା ଧ୍ୱଜା ଉଡ଼େଇ ଲୋକଙ୍କୁ ଠକିବାକୁ ବସିଚନ୍ତି ।

 

 

ଗଣେଶ—

ଆପଣ କଥାଟାକୁ ଇମିତି ଅବାଗିଆ କରି ଭାବୁଚନ୍ତି କାଇଁକି ? ଯଦିଚ ଆମେ ବିନା ଦରମାରେ, ବିନା ଭତ୍ତାରେ ଦେଶସେବା କରିବାର ଶପଥ ନେଇଚୁ, ତଥାପି ଅନୁଷ୍ଠାନ ଚଳିବାର ସାଧାରଣ ଖର୍ଚ୍ଚଟା ତ ଆମେ ଦେଶବାସୀଙ୍କଠାରୁ ପାଇବାର ହକଦାର ।

 

 

ବୀରେଶ—

ତେଣୁ ଯେ ଯାହା ପାରୁଚି, କିଛି ଦଉଚି ।

 

 

ଗଣେଶ—

(ଚାନ୍ଦା ବାକ୍ସ ହଲେଇ) ଆପଣ ବି କିଛି ଦିଅନ୍ତୁ ।

 

 

ସୁରେଶ—

ପାରିବେ ଯଦି କିଛି ସେକେଣ୍ଡହାଣ୍ଡ ଜିନିଷ ବି କିଣନ୍ତୁ.....

 

 

ବୀରେଶ—

ନଇଲେ ସାମାନ୍ୟ କିଛି ଫିସ୍‌ ଦେଇ ଆମ ଏ ସୁବିଧା-ଜନକ ଦାତବ୍ୟ ବ୍ୟାଙ୍କରେ ମେମ୍ୱର ହୁଅନ୍ତୁ ।

 

 

ମହିଳା—

[ସ୍ୱଗତ] ଏ ଲୋକଗୁଡ଼ାକ ନିହାତି ଠକ ନା କ’ଣ ? ରାସ୍ତା ଉପରେ ଜୁଲମ ଆରମ୍ଭ କରି ଦେଉଚନ୍ତି ।

 

 

ଗଣେଶ—

ଆହା-ହା ଆପଣ ଇମିତି ଚିଡ଼ି ଉଠୁଚନ୍ତି କାଇଁକି ? ସମସ୍ୟା-ସମାଧାନ ସଂଘ ଚେଷ୍ଟା କରି ଆପଣଙ୍କ ପୁଅକୁ ଖୋଜି ବାହାର କରିଦବ, ଆଉ ଆପଣ ସେ ସଂଘକୁ କିଛି ସାହାଯ୍ୟ କରିବେ, ଏ ତ ନିତାନ୍ତ ସାଧାରଣ କଥା ।

 

 

ମହିଳା—

ନା, ମୁଁ ଏପରି ଅନୁଷ୍ଠାନକୁ କିଛି ଦେଇ ପାରିବିନି ।

 

 

ସୁରେଶ—

ଆମ ସଂଘ ତେବେ ଆପଣଙ୍କ ପୁଅକୁ ଖୋଜି ବାହାର କରି ପାରିବନି ।

 

 

ମହିଳା—

ପାରିବନି । ଅଲବତ୍‌ ପାରିବ ।

 

 

ବୀରେଶ—

କ’ଣ ଧମକେଇ ?

 

 

ମହିଳା—

ହଁ, ନିଶ୍ଚୟ ଧମକେଇ ।

 

 

ଗଣେଶ—

ଧମକ ଆଉ ଆପଣ କାହାକୁ ଦେଇ ପାରିବେନି । ଦେଶ ସ୍ୱାଧୀନ ହେଲା, ବେଠି ବେଗାରି ଉଠିଗଲା, ପୁଣି ଧମକର କାମ କ’ଣ ?

 

 

ମହିଳା—

ଆପଣମାନେ ତେବେ ମୋ ପୁଅକୁ ଖୋଜି ବାହାର କରି ଦେବେନି ?

 

 

ବୀରେଶ—

ନା ।

 

 

ମହିଳା—

ତାହାହେଲେ ମୁଁ ଥାନାକୁ ଯାଉଚି ।

 

 

ଗଣେଶ—

(ଶଙ୍କିଯାଇ) ଥାନାକୁ କାଇଁ ଯିବେ ? ଚାନ୍ଦା ନ ଦେଲେ ତ ନାଇଁ !

 

 

ମହିଳା—

ମୁଁ ଯାଉଚି ଥାନାରେ କହିବି ଆପଣମାନେ ମୋ ପୁଅକୁ ଲୁଚେଇ ରଖିଚନ୍ତି...

 

 

ସୁରେଶ—

ଏଁ ! ଆପଣ ଜଣେ ମାନ୍ୟାଗନ୍ୟା ମହିଳା ହେଇ ଏତ ବଡ଼ ମିଛି କଥା କହିବେ-?

 

 

ବୀରେଶ—

ନା, ନା, ଆପଣ ଥାନକୁ ଯାନ୍ତୁନି । ଆମେ ପଛେ ବିନା ଚାନ୍ଦାରେ ଆପଣଙ୍କ ପୁଅକୁ ଖୋଜି ବାହାର କରିଦବୁ ।

 

 

ମହିଳା—

ନା, ନା, ମୁଁ ତ ନିଶ୍ଚେ ଥାନାକୁ ଯିବି ।

 

 

ଅନ୍ୟ ସମସ୍ତେ—

ନା, ନା, ଆପଣ ଥାନକୁ ଯାନ୍ତୁନି । ଆମର ଏଟା ଆପଣଙ୍କୁ ବିଶେଷ ଅନୁରୋଧ-

 

 

[ମହିଳା ରାଗି ତମ ତମ ହୋଇ ଚାଲିଗଲେ ସୁରେଶ ଓ ବୀରେଶ ଥକ୍‌କା ହୋଇ ଚାହିଁଥାନ୍ତି ।]

 

 

ଗଣେଶ—

ଆରେ ଚାହିଁଚ କ’ଣ । ଚାଲ ପୁଅକୁ ଆଣି ତାକୁ ଦବା ନଇଲେ କଥା ସଇଲା ।

 

 

[ସୁରେଶ ଓ ବୀରେଶ ତରତର ହେଇ ମହିଳା ପିଛା ଧଇଲେ ଗଣେଶ ବି ତାଙ୍କ ପଛେ ପଛେ ଗଲା ।]

 

ତୃତୀୟ ଦୃଶ୍ୟ

 

[ରଙ୍ଗମଞ୍ଚର ଆଲୋକ କେତେକ୍ଷଣ ପାଇଁ ସ୍ତିମିତ ହୋଇ ପୁଣି ଜଳି ଉଠିଲା । ଦେଖାଗଲା ପୂର୍ବର ସେହି ରାଜପଥ । ବଡ଼ ବିବ୍ରତ ହୋଇ ପ୍ରବେଶ କଲେ ଗୋବିନ୍ଦ ବାବୁ–ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକ, ଛୋଟକାଟର ବ୍ୟବସାୟୀ ବା କୌଣସି ସିରସ୍ତାର କିରାଣି । ଆଗରୁ କ’ଣ ଖୋଜି ଖୋଜି ଆସୁଥିଲେ, ଦୂରରୁ କ’ଣ ଦେଖି ହଠାତ୍‌ ଚିତ୍କାର କରି ଉଠିଲେ]

ଗୋବିନ୍ଦ—

ଓହୋ, ପିଲାଟା ପାଣିରେ ପଡ଼ିଗଲା, ପିଲାଟା ପାଣିରେ ପଡ଼ିଗଲା, ମୁଁ ଏବେ କରେ କ’ଣ । ଆରେ, କିଏ ଅଛ ଟିକେ ସାହାଯ୍ୟ କର ।

[ବିବ୍ରତ ହୋଇ, ଚିତ୍କାର କରି ଏପଟ ସେପଟ ହେଲେ]

ଗଣେଶ—

(ପ୍ରବେଶ କରି) କ’ଣ ହେଲା ଆଜ୍ଞା ?

ଗୋବିନ୍ଦ—

ବାବୁ, ମୋ ଝିଅ ନାଳରେ ପଡ଼ିଗଲା ।

ଗଣେଶ—

(ବ୍ୟଙ୍ଗ ଆଶ୍ଚର୍ଯ୍ୟ ପ୍ରକାଶ କରି) ନାଳରେ ପଡ଼ିଗଲା ?

ଗୋବିନ୍ଦ—

ହଁ, ଶଙ୍ଖ ପାଖରେ ଖେଳୁଥିଲା, କିମିତି ପାଣିରେ ପଡ଼ିଗଲା । ଆରେ କିଏ ଟିକେ ପିଲାଟାକୁ ଟେକିଆଣ, ମତେ ତ ପହଁରା ଆସେନି, ମୁଁ ଏବେ କରିବି କ’ଣ ?

ଗଣେଶ—

ଓହୋ, ବ୍ୟସ୍ତ କାଇଁ ହଉଚନ୍ତି ?

ଗୋବିନ୍ଦ—

ବ୍ୟସ୍ତ ହେବିନି, ପିଲାଟା ନାଳରେ ପଡ଼ିଗଲା ।

ଗଣେଶ—

ବ୍ୟସ୍ତ ହେବା ଦରକାର ନାଇଁ । ଆମ ସଂଘ ଆପଣଙ୍କୁ ଏ ବିପଦରୁ ରକ୍ଷା କରିବ-

ଗୋବିନ୍ଦ—

ଓହୋ, କାଇଁକି ଅଯଥା ଗୋଳମାଳ କରୁଚନ୍ତି ? ଯାଆନ୍ତୁ ପିଲାଟାକୁ ଟିକେ ପାଣିରୁ ଉଠାଇ ଆଣନ୍ତୁ । ବର୍ଷାଦିନ, ନାଳରେ ଅଥଳ ପାଣି ।

ଗଣେଶ—

ଆପଣ ଚିନ୍ତା କରୁନ୍ତୁନି ଆଜ୍ଞା, ଏ ସବୁ ଦୈବୀ ବିପଦ ପାଇଁ ଆମର ସ୍ୱେଚ୍ଛାସେବକ ମୁତୟନ ଅଛନ୍ତି ।

ଗୋବିନ୍ଦ—

ସ୍ୱେଚ୍ଛାସେବକ ମୁତୟନ ଅଛନ୍ତି ?

ଗଣେଶ—

ହେଇ ଦେଖନ୍ତୁ ସେଇ ସ୍ୱେଚ୍ଛାସେବକ ଜଣେ ପାଣିରେ ପଶି ଗଲାଣି ଆପଣଙ୍କ ଝିଅକୁ ଉଦ୍ଦାର କରିବାକୁ । ହେଇତ ଧରିନେଲାଣି ! ଆଉ ଚିନ୍ତା କ’ଣ ? ବାଃ, ବାଃ, ୟାକୁ ଯେ କହିବ ଦେଶସେବା । ସନ୍ଧ୍ୟାବେଳେ, କି ଶୀତ ! ସାଙ୍ଗେ ସାଙ୍ଗେ ପିଲାଟାକୁ ପାଣିରୁ ଶୂନ୍ୟେ ଶୂନ୍ୟେ ଉଠେଇ ଘେନି ଆସିଲା ?

ଗୋବିନ୍ଦ—

ଓହୋ, ମୁଁ ରକ୍ଷା ହେଇଗଲି । [ଯିବାକୁ ଉଦ୍ୟତ ହେଲେ]

 

 

ଗଣେଶ—

(ଗୋବିନ୍ଦବାବଙ୍କୁ ଅଟକାଇ) ରୁହନ୍ତୁ, ରୁହନ୍ତୁ, ଏତେ ଉତ୍ତଳା ହଉଚନ୍ତି କାଇଁକି ? ସେ ଆପଣଙ୍କ ଝିଅକୁ ଆଣି ଏଠିକି ଆସିବେ ।

 

 

ଗୋବିନ୍ଦ—

ସେ କ’ଣ ଆପଣଙ୍କ ଲୋକ ?

 

 

ଗଣେଶ—

ହଁ, ସେ ଆମ ସମସ୍ୟା-ସମାଧାନ ସଂଘର ସଭ୍ୟ ।

 

 

ଗୋବିନ୍ଦ—

ଆଚ୍ଛା, ଆପଣମାନେ ଏଠିକି ଆସିଥିଲେ କିମିତି ?

 

 

ଗଣେଶ—

ଆମେ ଜାଣୁ ଏଠି ଦୁର୍ଘଟଣା ଘଟିବ ବୋଲି ।

 

 

ଗୋବିନ୍ଦ—

କିନ୍ତୁ କିମିତି ଜାଣିଲେ ?

 

 

ଗଣେଶ—

ସେଇତ ଆମ ସଂଘର ବିଶେଷତ୍ୱ । Cosmic effect ଫଳରେ ଆମକୁ ସବୁ ଜଣାପଡ଼ୁଚି । ଘରପୋଡ଼ି, ଜଳବୁଡ଼ି ଯୁଁଠି ଯାହା ଦୁର୍ଘଟଣା ଘଟିବ ସେଇଟା ଆଗରୁ ଆମକୁ ଜଣାପଡ଼ିଯାଏ ।

 

 

ଗୋବିନ୍ଦ—

କିଛି ବୁଝିପାରିଲିନି ବାବୁ–ଦୁର୍ଘଟଣା ଏଠି ଏଇକ୍ଷଣି ଘଟିବ ବୋଲି ଆପଣମାନଙ୍କୁ ଜଣାଗଲା କିମିତି ?

 

 

ଗଣେଶ—

କହିଲି ପରା Cosmic effect ଫଳରେ ।

 

 

ଗୋବିନ୍ଦ—

ଏ ଯୁଁ effect ହଉନା କାଇଁକି, ଆପଣମାନେ ମୋର ଗୋଟେ ବଡ଼ ଉପକାର କଲେ ।

 

 

ଗଣେଶ—

କ’ଣ କରିବା ! ଆମ ଦେଶବାସୀଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ତ-! ସରକାରଙ୍କ ଉପରେ ନିର୍ଭର କରାଯାଇ ନ ପାରେ । ତେଣୁ ଆମେମାନେ ଗୋଟେ ସଂଘ ଗଢ଼ି ଦୁସ୍ଥ ଜନତାର କିଛି ନା କିଛି ଉପକାର କରିବାକୁ ବାହାରି ପଡ଼ିଚୁ ।

 

 

ଗୋବିନ୍ଦ—

ଦେଶର ମହା ଉପକାର କରୁଚନ୍ତି ଆପଣମାନେ ।

 

 

ଗଣେଶ—

(ଚାନ୍ଦାବାକ୍ସ ଦେଖାଇ) କିଛି ଚାନ୍ଦା ଦିଅନ୍ତୁ ।

 

 

ଗୋବିନ୍ଦ—

ହଠାତ୍‌ ଏ କଥା କାଇଁକି ?

 

 

ଗଣେଶ—

ଆମ ସମସ୍ୟା-ସମାଧାନ ସଂଘକୁ ଏଇ ବାକ୍ସରେ କିଛି ଚାନ୍ଦା ଦିଅନ୍ତୁ ।

Unknown

 

 

ସୁରେଶ—

(ପ୍ରବେଶ କରି) ନିଅନ୍ତୁ ଏଇ ପାଞ୍ଚଟି ପୁରୁଣା ପଇସା । ଆପଣଙ୍କ ଅସାମାନ୍ୟ ସଂଘକୁ ମୋର ସାମାନ୍ୟ ଦାନ । ଆହା, ଆପଣମାନେ ଯୁଁ ଦେଶସେବା କରୁଚନ୍ତି କଏ ବୁଝିବ ତା’ର ମୂଲ୍ୟ ।

 

 

ଗଣେଶ—

(ଗୋବିନ୍ଦ ପ୍ରତି) ଆଜ୍ଞା, ଆପଣ କିଛି ଦିଅନ୍ତୁ ।

 

 

ଗୋବିନ୍ଦ—

ମୋ ପାଖରେ ତ ବର୍ତ୍ତମାନ କିଛି ନାଇଁ, ପରେ ଦେବି ।

 

 

ଗଣେଶ—

ମୁଁ ସାଙ୍ଗରେ ଯିବି ?

 

 

ଗୋବିନ୍ଦ—

ମୁଁ କ’ଣ ଇଲେ ଘରକୁ ଯାଉଛି । ପିଲାଟା ତ ପେଟେ ପାଣି ପିଇଯାଇଚି, ତାକୁ ନେଇ ମତେ ଆଗ ଡାକ୍ତରଖାନା ଯିବାକୁ ପଡ଼ିବ ।

 

 

ସୁରେଶ—

ତେବେ କିଛି ସେକେଣ୍ଡହାଣ୍ଡ ଜିନିଷ ନିଅନ୍ତୁ ।

 

 

ଗୋବିନ୍ଦ—

ନା, ମତେ କ୍ଷମା କରିବେ । ମୁଁ ଇଲେ କିଛି କିଣି ପାରୁନି । ମୋ ମନଟା ଚଞ୍ଚଳ ଅଛିକିନା ?

 

 

ଗଣେଶ—

ଆପଣଙ୍କ ରାଶିଫଳଟା ଚଞ୍ଚଳ ଅଛି ? ତେବେ ଆମ ରାଶିଫଳ ବହିରୁ ଖଣ୍ଡେ କିଣନ୍ତୁ । ଆଗତ ଭବିଷ୍ୟ ସବୁ ଜାଣିପାରିବେ ।

 

 

ଗୋବିନ୍ଦ—

ନା, ନା, ସେ ସବୁ ଦେଖିବାକୁ ମୋର ବେଳ ନାଇଁ । ମୁଁ ଯାଏ ।

 

 

[ଗୋବିନ୍ଦବାବୁ ଚାଲିଗଲେ]

 

 

ସୁରେଶ—

ହଇରେ ଏ ଦେଶଟାର କ’ଣ ହେଲା ? କ’ଣ କେହି ଚାନ୍ଦା ଦଉନାହାନ୍ତି ।

 

 

ଗଣେଶ—

ନା ଭାଇ, ଏ ଚାନ୍ଦା ଫାନ୍ଦା କଥା ଆଉ ପଟିବନି । ଗୋଟେ କିଛି ନୂଆ ଫିକର ନ କଲେ.......

 

 

ସୁରେଶ—

ଆଉ କି ଫିକର ତୁ କରିବୁ ? ଦବା କଥା ଶୁଣି ତ ସମସ୍ତେ ପୃଷ୍ଠଭଙ୍ଗ ଦଉଚନ୍ତି । ଆଚ୍ଛା, ମୁଁ ଭାବୁଚି ଗୋଟେ ଯଦି ଖବରକାଗଜ ବାହାର କରାଯାନ୍ତା–ସ୍ୱାଧୀନ ପତ୍ରିକା କି ସ୍ୱରାଜ ସନ୍ଦେଶ...

 

 

ଗଣେଶ—

ଖବରକାଗଜ କୁ କଟିବ ଯେ ?

 

 

ସୁରେଶ—

ନିଶ୍ଚେ କଟିବ । ଆମେ ତ ଖାଲି ନାରୀଧର୍ଷଣ, ଶିଶୁହରଣ, ରାଶିଫଳ, ସହର ଗୋଳମାଳ ଏଇଆ ଛାପିବା ।

 

 

ଗଣେଶ—

କୁଠି କିଏ ହୁକୁମ ଦେଲା, କୁଠି ବାବା ଆବିର୍ଭାବ ହେଲେ, କୁଠି ଗଛରୁ ଦୁଧ ଝରୁଚି, କୁଠି କିଏ ସାପ ଜନ୍ମ କଲା ! ଏଗୁଡ଼ା ତ ସବୁ ଖବରକାଗଜ ଛାପୁଚନ୍ତି, ତୁ ଆଉ ଅଧିକା କ’ଣ କରିବୁ ?

 

 

ସୁରେଶ—

ଲୋକେ ତାଙ୍କ ଖବରକାଗଜର କାଟ୍‌ତି ପାଇଁ ବେଳେ ବେଳେ ସେସବୁ ଛାପୁଚନ୍ତି । ଆମେ ଆମ ଖବରକାଗଜର କାଟ୍‌ତି ପାଇଁ ସବୁବେଳେ କେବଳ ସେଗୁଡ଼ା ଛାପିବା । ଖାଲି ତ ବିମଳା ହରଣ ମକଦ୍ଦମା, ଦିନ ଦି’ପହରେ ଡକାୟତି ଇମିତି ପାଟିକଲେ ହେଲା ଖବରକାଗଜ ବିକ୍ରି ।

 

 

ଗଣେଶ—

ସିମିତି ନୂଆ ନୂଆ କିଛି ଖବର ବେଶି ମାତ୍ରାରେ ମିଳିଲେ ହବନା !

 

 

ସୁରେଶ—

କାଇଁ ମିଳିବନି ! ଆମେ ଥୋଡ଼େ ଯୋଡ଼ି ଲେଖିଦବାନି ?

 

 

ଗଣେଶ—

ହଁ, ମନକୁ ଯୋଡ଼ି ଲେଖିଦବ, ଶେଷରେ ଜେଲ ଯାଇ ଘଣା ଠେଲିବ ।

 

 

ସୁରେଶ—

ଜେଲ କାଇଁ ଯିବା । ଧରାପଡ଼ିଲେ ‘‘ଭ୍ରମ ସଂଶୋଧନ’’ ବାହାର କରି ଖସି ଯିବାନି !

 

 

ଗଣେଶ—

ଆରେ ଖବରକାଗଜ ବାହାର କରିବା କ’ଣ କମ୍‍ କଷ୍ଟ । ସେଥିକି ତ ପୁଣି ପୁଞ୍ଜି ଦରକାର ।

 

 

ସୁରେଶ—

ସେଟା ତ ନିହାତି ଦରକାର ।

 

 

ଗଣେଶ—

କିନ୍ତୁ ସେ ଆସିବ କୁଆଡ଼ୁ ? ମୁଁ ଭାବୁଚି ଭବିଷ୍ୟତ ପାଇଁ ପୁଞ୍ଜି ଏବଂ ବର୍ତ୍ତମାନ ପେଟର ବ୍ୟବସ୍ଥା ପାଇଁ ଜଣେ ବଡ଼ଲୋକ ଦେଖି ଆମ ସଂଘର ସଭାପତି କରିବା ।

 

 

ସୁରେଶ—

The idea ଯାଃ, ଏତେ ଦିନେ ତୁ ଗୋଟେ ବୁଦ୍ଧି ବାହାର କଲୁ ଗଣେଶ ଦା ।

 

 

 

[ପ୍ରବେଶ କଲା ବୀରେଶ–ଲୁଗାପଟା ଓଦା । ସେ ଶୀତରେ ଥରୁଚି-।]

 

 

ବୀରେଶ—

(ଥରି ଥରି) ଉହୁ-ହୁ, ହଇରେ କ’ଣ କିଛି ମିଳିଲା ?

 

 

ଗଣେଶ—

କିଛି ନାଇଁ ।

 

 

ବୀରେଶ—

(ଥରି ଥରି) ଉହୁ-ହୁ, ତୁମେ ତେବେ ଏ ସଞ୍ଜବେଳଟାରେ ମତେ କାଇଁ ପାଣିରେ ପୂରେଇଲ ?

 

 

ସୁରେଶ—

ଏଁ, ସେ କିଛି ଦବନି ବୋଲି ଆମେ ଜାଣିଥିଲୁ କି ? ଗୋଟେ ଚେଷ୍ଟା କରୁ କରୁ....

 

 

ବୀରେଶ—

ଚେଷ୍ଟା କରୁ କରୁ । ଉହୁ-ହୁ, କାଇଁ ତୁ ଗଲୁନି ଚେଷ୍ଟା କରିବାକୁ । ସେଦିନ ହୋଟଲରେ ଧାର ଖାଇବାକୁ ଚେଷ୍ଟା କରି ତ ମୋ ମୁଣ୍ଡ ଫାଟିଲା, ଆଜି ତ ନାଳରେ ବୁଡ଼ି ପାଣିରେ ପ୍ରାଣ ଯାଇଥାନ୍ତା । ହଇରେ ସେ ପିଲାଟା ଏଡ଼ିକି ଭାରି-। ତାକୁ ଆଣୁ ଆଣୁ ମୁଁ ପେଟେ ପାଣି ପିଇଗଲି, ଉହୁ-ହୁ.......

 

 

ଗଣେଶ—

ହଉ, ଆଉ ବେସ୍ତ ହେଲେ କ’ଣ ହବ । କର୍ମଣ୍ୟେଂ ବାଧିକାରସ୍ତେ ମା ଫଳେଷୁ କଦାଚନ । ଆମର ଚଷ୍ଟା କରିବାର କଥା । ହେଇ ଦେଖ୍‌ କିଏ ଜଣେ ଧୋବଧାଉଳିଆ ଲୋକ ଆସୁଚି, ତାକୁ ଧର କିଛି ଯଦି ମିଳିଯାଏ ।

 

 

ବୀରେଶ—

ଉହୁ-ହୁ, ମୋ ଦେହ କୋଲ ମାରିଯାଉଚି ଲୋ ବାପା ।

 

 

ସୁରେଶ—

(ଆଗନ୍ତୁକଙ୍କୁ ଲକ୍ଷ୍ୟକରି) ଗଣେଶ ଦା, ଗଣେଶ ଦା....

 

 

ଗଣେଶ—

ଓଃ, କେଡ଼େ ପାଟିରେ ଗଣେଶ ଦା ଗଣେଶ ଦା ହଉଚୁରେ ! ଲୋକଟା ଗୁଇନ୍ଦା ଫୁଇନ୍ଦା ହେଇଥିବ ।

ସୁରେଶ—

ଏଁ, କ’ଣ କହୁଚୁ ଗଣେଶ ଦା, ଗୁ-ଇ-ନ୍ଦା ?

 

 

ଗଣେଶ—

ହଁ ଗୁଇନ୍ଦା ପରି ତ ଲାଗୁଚି । ସେ ସ୍ତ୍ରୀ ଲୋକ ଯାଇ ଥାନାରେ ଖବର ଦେଲା ଦିନଠୁଁ ମତେ ତ ଗଛପତ୍ରରେ ବି ଗୁଇନ୍ଦା ଦେଖା ଯାଉଚନ୍ତି ।

 

 

ସୁରେଶ—

ହଇରେ, ସେ ସ୍ତ୍ରୀ ଲୋକଟା ଏଡ଼େ ବଦମାସ । ଆମେ ତା’ ପିଲାଟାକୁ ବିନା ଚାନ୍ଦାରେ ବାହାର କରିଦେଲେ । ତେବେ ବି ସେ ଯାଇ ଥାନାରେ କହିଦେଲା ।

 

 

ବୀରେଶ—

ଉହୁ-ହୁ...

 

 

ସୁରେଶ—

ତେବେ ପୁଣି କ’ଣ କରିବା ଗଣେଶ ଦା ? ସେ ଯଦି ଗୁଇନ୍ଦା ହେଇଥିବ ?

 

 

ଗଣେଶ—

ହଉ ଗୁଇନ୍ଦା । ତୁ ଇମିତି ଡରି ଯାଉଚୁ କାଇଁକି ?

 

 

ସୁରେଶ—

କାଇଁକି ଡରୁଚି ? ଜେଲକୁ ପଠେଇ ଦବ ଯେ ।

 

 

ବୀରେଶ—

ଉହୁ-ହୁ...

 

 

ଗଣେଶ—

ଓଃ, ଜେଲ ତ ମହାତ୍ମା ଗାନ୍ଧି ବି ଯାଇଥିଲେ, ସେଥିକି ଏତେ ଡର କାଇଁକି ? ବରଂ ସେ ଜେଲଯିବା ସାର୍ଟିଫିକେଟଟା ହାସଲ କଲେ ଜୀବନରେ କିଛି ଉନ୍ନତି କରିହବ । କିଛି ନ ହେଲେ ଆମ ବ୍ରେଡ଼ ପ୍ରବ୍ଲେମ୍‌ର ତ ଗୋଟେ ଆଶୁ ସମାଧାନ ହେଇଯିବ ।

 

 

ବୀରେଶ—

ଉହୁ-ହୁ...

 

 

ସୁରେଶ—

ନା ଭାଇ, ସେ ଗୁଇନ୍ଦାଙ୍କୁ ମୋର ଭାରି ଡର । ଯାହା ତ କରିବେ କରିବେ, କଥାଗୁଡ଼ାକ ଇମିତି ଗୁଡ଼େଇ ତୁଡ଼େଇ ପଚାରିବେ ଯେ ଛାତି ଭିତରୁ କଲିଜାଟା ଟାଣି ନେଲା ପରି ଲାଗିବ ।

 

 

ଗଣେଶ—

ଇମିତି ଡରିଗଲେ ଲାଭ କ’ଣ ? ବରଂ ବୁଦ୍ଧି ଖର୍ଚ୍ଚ କରି ନିଜକୁ ବଞ୍ଚେଇବାକୁ ଚେଷ୍ଟା କରିବା ଦରକାର ।

 

 

ସୁରେଶ—

ଆଉ କ’ଣ ବୁଦ୍ଧି ଖର୍ଚ୍ଚ କରିବା ? ସେଇଟା ଯଦି ଗୁଇନ୍ଦା ହେଇଥିବ, ଏଣୁତେଣୁ ପଚାରି ଆମର ସବୁ ଭିତିରି କଥା ତ ବୁଝିଯିବ ।

 

 

ବୀରେଶ—

ଉହୁ-ହୁ...

 

 

ଗଣେଶ—

ଭିତିରି କଥା ଆମେ ତାକୁ କହିବା କାହିଁକି ଯେ ?

 

 

ବୀରେଶ—

ଉହୁ-ହୁ....

 

 

ଗଣେଶ—

ଓହୋ, କେତେ ଉହୁହଉଚୁ ବା । ବେଶି ବେସ୍ତ ହନା, ଥଣ୍ଡା ଧରିବ । ଆଚ୍ଛା, ଆମେ ଏଣିକି ଗୋଟେ କଥାକରିବା ।

 

 

ସୁରେଶ—

କ-ଣ ?

 

 

ବୀରେଶ—

କ’ଣ–ଉହୁ-ହୁ ।

 

 

ଗଣେଶ—

ଏଣିକି ଆମେ ନାଁ ଧରି ଡକାଡକି ହବାନି ।

 

 

ସୁରେଶ—

ଆଉ ?

 

 

ବୀରେଶ—

ଆଉ ? ଉ-ହୁ-ହୁ ।

 

 

ଗଣେଶ—

ଏଣିକି ନମ୍ୱର ଦେଇ ଡକାଡକି ହବା । ମୁଁ ହେଲି ମିଃ ଏକ ନମ୍ୱର; ସୁରେଶ ମିଃ ଦି ନମ୍ୱର; ବୀରେଶ ମିଃ ତିନି ନମ୍ୱର ।

 

 

ସୁରେଶ—

ଚମତ୍କାର idea । ବାସ୍ତବିକ୍‌ ବେଳେବେଳେ ଗଣେଶ ଦା ତୁ ଇମିତି ଗୋଟେ ଗୋଟେ ବୁଦ୍ଧି ବାହାର କରୁ ।

 

 

ଗଣେଶ—

ପୁଣି ଗଣେଶ ଦା ?

 

 

ସୁରେଶ—

ନା, ମିଃ ଏକ ନମ୍ୱର ।

 

 

ଗଣେଶ—

ହେଇ ଲୋକଟା ଆସିଗଲା । ଟିକେ ମନପ୍ରାଣଦେଇ ସମସ୍ତେ ଲାଗିପଡ଼ ।

 

 

ସୁରେଶ—

ଲାଗିଲୁ ଆମେ ।

 

 

ବୀରେଶ—

ଲାଗିଲୁ ଆମେ । ଉହୁ-ହୁ !

 

 

ଗଣେଶ—

ଆଚ୍ଛା, ସମସ୍ତେ ଏଠି ରୁଣ୍ଡ ନ ହେଇ ଜଣେ ଜଣେ ଗୋଟେ ଗୋଟେ ଆଡ଼େ ଯାଅ । ନଇଲେ ଯଦି କିଛି ଅସୁବିଧା ଘଟେ, ତେବେ ସମସ୍ତେ ତ ଏକା ସାଙ୍ଗେ ସହିଦ ହେଇଯିବା । ତେଣିକି ସଂଘ ଚଳିବ କିମିତି ?

 

 

ସୁରେଶ—

ବୀରେଶ ତେବେ ଅନ୍ୟ ଆଡ଼େ ଯାଉ । ମୁଁ ତୁମ ସାଙ୍ଗରେ ରହୁଚି ଗଣେଶ ଦା ।

 

 

ଗଣେଶ—

ପୁଣି ?

 

 

ସୁରେଶ—

ନା, ମିଃ ଏକ ନମ୍ୱର ।

 

 

ବୀରେଶ—

ଭାରି ଚଲାକ୍‌ ଲୋକଟେ । ଇଠି ଯିମିତି କିଛି ଆଦାୟର ଆଶା ଦେଖିଲା, କହିଲା ବୀରେଶ ଅନ୍ୟଆଡ଼େ ଯାଉ; କାଇଁ ତୁ ଯାଉନୁ ?

 

 

ଗଣେଶ—

ହଉ, ବୀରେଶ ତୁ ଯାଉନୁ ଷ୍ଟେସନ ଆଡ଼େ କିଛି ଚେଷ୍ଟା କରିବୁ । ସେପଟେ ତ ଲାଭର ଆଶା ବେଶି ।

 

 

ବୀରେଶ—

ମୁଁ ଏକୁଟିଆ ଯାଇ କ’ଣ କରିବି ?

 

 

ଗଣେଶ—

ଏକୁଟିଆ ଗଲେ ସୁବିଧା ନା । କେହି ସନ୍ଦେହ କରିପାରିବେନି ।

 

 

ସୁରେଶ—

ଆଉ, ଯାହା ପାଇବୁ ସହଜେ ଆତ୍ମସାତ୍‌ କରିପାରିବୁ ।

 

 

ବୀରେଶ—

ହଁ, ଠିକ୍‌ ତୋରି ପରି ।

 

 

 

[ବୀରେଶ ଗୋଟିଏ ଦିଗରେ ଚାଲିଗଲା]

 

 

ଗଣେଶ—

(ଦୂରକୁ ଚାହିଁ) ମିଃ ଦି ନମ୍ୱର । ଲୋକଟା ଗୁଇନ୍ଦା ପରି ତ ଦିଶୁଚିରେ । ଟିକିଏ ସାବଧାନ ଥିବୁ । ଯେତେ ପଚାରିଲେ କେବେ ଭିତିରି କଥା କହିବୁନି ।

 

 

ସୁରେଶ—

ନା ଗଣେଶ ଦା ! (ଜିଭ କାମୁଡ଼ି) ନା, ମିଃ ଏକ ନମ୍ୱର । ସେ ଏତେ ଚାଲାକ, ମୋ’ଠାରୁ କଥା ବାହାର କରିନବ ?

 

 

[ପ୍ରବେଶ କଲେ ଜଣେ ଭଦ୍ରଲୋକ, ବେଶଭୂଷା ଖୁବ୍‍ ଭଲ । ତାଙ୍କ ଢଙ୍ଗରଙ୍ଗରୁ ଜଣାଯାଉଚି ସେ ଯିମିତି କିଛି ଅନୁସନ୍ଧାନରେ ଅଛନ୍ତି ।]

 

 

ଭଦ୍ରଲୋକ—

ଆପଣମାନେ ସମସ୍ୟା-ସମାଧାନ ସଂଘର କର୍ମକର୍ତ୍ତାଙ୍କୁ ଦେଖିଚନ୍ତି ?

 

 

ସୁରେଶ—

ଆମେ ହଉଚୁ ସେଇ ବିଖ୍ୟାତ ସଂଘର ତ୍ରିଶକ୍ତିରୁ ଦିମୂର୍ତ୍ତି ।

 

 

ଭଦ୍ରଲୋକ—

ଓ, ନମସ୍କାର ।

 

 

 

[ଗଣେଶ ଓ ସୁରେଶ ସଭୟେ ନମସ୍କାର ଛଳରେ ହାତ ଟେକିଲେ-।]

 

 

 

ଆପଣମାନେ ଏଠି, ମୁଁ ଟାଉନ୍‌ସାରା କେତେ ଖୋଜିଲିଣି ।

 

 

ଗଣେଶ—

କ’ଣ କରିବୁ ଆଜ୍ଞା ! ଅସମ୍ଭାଳ କାର୍ଯ୍ୟଚାପ ଯୋଗୁ କୌଣସି ଗୋଟେ ଜାଗାରେ ସ୍ଥିର ହୋଇ ରହି ପାରୁନୁ । ତେବେ ଆପଣ ଆମକୁ ଖୋଜୁଥିଲେ କାଇଁକି ?

 

 

ଭଦ୍ରଲୋକ—

ମୁଁ ଏକା କ’ଣ ଆପଣମାନଙ୍କୁ ଖୋଜୁଚି, ସାରା ଦେଶବାସୀ ତ ଆପଣମାନଙ୍କୁ ଖୋଜୁଚନ୍ତି । ଆପଣଙ୍କ କାର୍ଯ୍ୟକଳାପରେ ସମସ୍ତେ ଆଜି ସ୍ତମ୍ଭିତ, ଚମକ୍ତୃତ ।

 

 

ସୁରେଶ—

ହୁଅନ୍ତେନି ଆଜ୍ଞା ! ଆମେ ଦେଶ ଆଖିରେ ଯୁଁ ଅଞ୍ଜନ ବୋଳି ଦେଇଚୁ ।

 

 

ଭଦ୍ରଲୋକ—

(ବ୍ୟଙ୍ଗଭାବରେ) ହଁ, ହଁ, ଏକଦମ୍‌ କଳାଞ୍ଜନ ବୋଳି ଦେଇଚନ୍ତି ।

 

 

ଗଣେଶ—

(ଆଶ୍ଚର୍ଯ୍ୟ ଭାବରେ) କ’ଣ କହିଲେ ଆଜ୍ଞା ?

 

 

ଭଦ୍ରଲୋକ—

ଆପଣମାନେ ଏ ଗୋଟିଏ ନୂଆ କର୍ମପନ୍ଥାର ଆଶ୍ରୟ ନେଇ ଦେଶର ଯୁଁ ଉପକାର କରୁଚନ୍ତି ।

 

 

ସୁରେଶ—

କିଏ ବୁଝିଚି ତା’ର ମହାତ୍ମ୍ୟ । ହେଲେ ଆପଣ ଆମକୁ ଖୋଜୁଥିଲେ କାଇଁକି ?

 

 

ଭଦ୍ରଲୋକ—

ମୁଁ ଆପଣଙ୍କ ସଂଘର ସଦସ୍ୟ ହବାକୁ ଚାହେଁ । ବହୁଦିନୁ ଦେଶସେବା କରିବାକୁ ମୋର ଗୋଟେ ଉତ୍କଟ ଉତ୍ସାହ ଅଛି । କିନ୍ତୁ ସୁବିଧା ନ ପାଇ.......

 

 

ସୁରେଶ—

ମନଦୁଃଖରେ ଅଛନ୍ତି । ଏଥର ସୁବିଧା ପାଇଯିବେ ଆଜ୍ଞା । ଆମ ସମସ୍ୟା-ସମାଧାନ ସଂଘର ସଭ୍ୟ ହେଇଗଲେ ଦେଶସେବା, ଜାତିସେବା, ଅନ୍ୟ ଯେକୌଣସି ସେବା ଆପଣଙ୍କ ପକ୍ଷରେ ଆଦୌ ଅସାଧ୍ୟ ହବନି ।

 

 

ଭଦ୍ରଲୋକ—

ଆପଣଙ୍କ ସଂଘର ସଭ୍ୟ ହବାକୁ ତ ମୁଁ ଆସିଚି । ଆଚ୍ଛା ଆପଣଙ୍କର ପ୍ରବେଶିକା ଫିସ୍‌ କେତେ ?

 

 

ଗଣେଶ—

ଯାହା ଆପଣଙ୍କ ଖୁସୀ ।

 

 

ଭଦ୍ରଲୋକ—

ପଚାଶ ଟଙ୍କା ହବ ?

 

 

ସୁରେଶ—

ପ-ଚା-ଶ ଟଙ୍କା ?

 

 

ଗଣେଶ—

ସେ ଯଥେଷ୍ଟ ହବ ଆଜ୍ଞା ।

 

 

ଭଦ୍ରଲୋକ—

ଆଚ୍ଛା ସେଟା ମୁଁ ଦେବି । ଆଉ କହନ୍ତୁ ଅନ୍ୟ କି ଉପାୟରେ ମୁଁ ଆପଣମାନଙ୍କୁ ସାହାଯ୍ୟ କରିପାରେ ?

 

 

ସୁରେଶ—

କେବଳ ଆର୍ଥିକ ସାହାଯ୍ୟ କରନ୍ତୁ ଆଜ୍ଞା । ଆଉ ଆମ ସଂଘର ସଭାପତି ଆସନଟା ଅନେକ ଦିନୁ ଖାଲି ପଡ଼ିଚି । ତାକୁ ଅଳଂକୃତ କରି ଆମକୁ ଧନ୍ୟ କରନ୍ତୁ ।

 

 

ଭଦ୍ରଲୋକ—

(ହସି) ବାଃ, ଏକଦମ୍‌ ସଭାପତି ! ହଉ, ଆପଣମାନେ ଯେତେବେଳେ କହୁଚନ୍ତି, ମୁଁ ନାହିଁ କରି ପାରୁଚି କେତେକ । ତେବେ ଆପଣମାନେ ନିର୍ଭର ରହନ୍ତୁ । ମୁଁ ଆପଣଙ୍କୁ ଏଣିକି ଯାବତୀୟ ସାହାଯ୍ୟ କରିବି–ଖାଇବା, ପିଇବା, ମଉଜ ମଜଲିସ୍‌ ଯାହା ଆପଣଙ୍କର ଦରକାର ।

 

 

ଗଣେଶ—

ଆପଣ ଏସବୁ ଖର୍ଚ୍ଚ ବହନ କରିବେ ? ଆମେ ଧନ୍ୟ ହେଲୁ ଆଜ୍ଞା ! ଆହା-ହା, ଆମ ସଂଘ ଏତେ ଦିନେ ଜଣେ ଉପଯୁକ୍ତ ସଭାପତି ପାଇଲା ।

 

 

ସୁରେଶ—

ତେବେ ଆଜ୍ଞା ! ଏ ଶୁଭ ମୁହୂର୍ତ୍ତକୁ ଚିରସ୍ମରଣୀୟ କରିବା ପାଇଁ ଆଜି କିଛି ଖାଇବାର ପିଇବାର ବ୍ୟବସ୍ଥା ହେଉ ।

 

 

ଭଦ୍ରଲୋକ—

ହଉ, ସେଥିକି କୌଣସି ଆପତ୍ତି ନାଇଁ । ଯୁଁ ହୋଟେଲକୁ ଆପଣଙ୍କୁ ଖୁସୀ ଚାଲନ୍ତୁ । ଆପଣମାନେ ଯେତେବେଳେ ଏତେ ବଡ଼ ସଂଘର ମତେ ସଭାପତି କଲେ, ମୁଁ ତା’ର ସାମାନ୍ୟ ପ୍ରତିଦାନ କ’ଣ ଦେଇପାରିବିନି ।

 

 

ସୁରେଶ—

ହଉ ଚାଲନ୍ତୁ ଆଜ୍ଞା, ଶୁଭକାର୍ଯ୍ୟରେ ଆଉ ଅଯଥା ବିଳମ୍ୱ କରିବା ଉଚିତ ନୁହେଁ-

 

 

ଭଦ୍ରଲୋକ—

ହଉ ଚାଲନ୍ତୁ । ହେଲେ ଆପଣମାନେ ତ ସଂଘର କିଏ କ’ଣ ଟିକେ ପରିଚୟ ଦେଲେନି ।

 

 

ଗଣେଶ—

ଆମମାନଙ୍କର ପରିଚୟ ବଡ଼ ସଂକ୍ଷିପ୍ତ । ମୁଁ ହେଲି ମିଃ ଏକ ନମ୍ୱର, ଏ ମିଃ ଦି ନମ୍ୱର । ମିଃ ତିନି ନମ୍ୱର ଅନ୍ୟ କାମରେ ଅନ୍ୟତ୍ର ଯାଇଚନ୍ତି ।

 

 

ଭଦ୍ରଲୋକ—

ଇମିତି ନମ୍ୱର ଦେଇଚନ୍ତି କାଇଁକି ?

 

 

ଗଣେଶ—

ଖାଲି ବିନୟରେ ଆଜ୍ଞା । ଆଜିକାଲି ସାମାନ୍ୟ କାମ କଲେ ଏ ସମ୍ୱାଦପତ୍ରଗୁଡ଼ାକ ଇମିତି ବଡ଼ ବଡ଼ ଅକ୍ଷରରେ ପ୍ରଶଂସାପତ୍ର ଛାପି ଦଉଚନ୍ତି । ସେଥିରେ ଯେକୌଣସି ପ୍ରକୃତ ଦେଶସେବୀକୁ ଲଜ୍ଜା ଆସିଯିବ, ତେଣୁ ଆମେମାନେ ବାଧ୍ୟହୋଇ ଆମ ନାଁ ଲୁଚେଇଚୁ ।

 

 

ଭଦ୍ରଲୋକ—

ତେବେ ମୁଁ ଯେତେବେଳେ ଆପଣମାନଙ୍କ ସଂଘର ସଭାପତି, ମୋ ପାଖରେ ସେସବୁ କାଇଁକି ? ଆପଣମାନଙ୍କ ପ୍ରକୃତ ନା କ’ଣ ମତେ କହନ୍ତୁ ।

 

 

ସୁରେଶ—

ମୁଁ ସୁରେଶ, ଏ ଗଣେଶ ଦା.......

 

 

 

[ଗଣେଶ ମୁହଁର ଭ୍ରୂକୁଟିରେ ଇଙ୍ଗିତ ଦବାରୁ ସୁରେଶ ଚୁପ୍‌ ହେଇଗଲା]

 

 

ଗଣେଶ—

ଚାଲନ୍ତୁ ହୋଟେଲକୁ ଆଜ୍ଞା, ଏସବୁ ସାମାନ୍ୟ କଥାରେ ଅନ୍ୟମନସ୍କ ହବା ଉଚିତ ନୁହେଁ ।

 

 

ଭଦ୍ରଲୋକ—

ହୋଟେଲକୁ ତ ଯିବା, କିନ୍ତୁ ଆପଣଙ୍କ ସଂଘର...

 

 

ସୁରେଶ—

ଆମ ସଂଘ ବୋଲି କହନ୍ତୁନି ଆଜ୍ଞା । ଏଣିକି ତ ଆପଣ ତା’ର ସଭାପତି ।

 

 

ଭଦ୍ରଲୋକ—

ହଁ, ହଁ, ଆମ ସଂଘ । ଆମ ସଂଘର ଗୁପ୍ତ ତଥ୍ୟ କ’ଣ ସେସବୁ ଟିକେ ମତେ କହନ୍ତୁ ।

 

 

ସୁରେଶ—

(ହସି) କି କଥା ଏ ! ଆପଣ ଯେତେବେଳେ ଆମ ସଂଘର ସଭାପତି, ଆମେ ଆପଣଙ୍କ ପାଖେ କ’ଣ କିଛି ଲୁଚେଇ ପାରୁ । ତେବେ ଆପଣ କ’ଣ ଜାଣିବାକୁ ଚାହୁଁଚନ୍ତି ଯେ ?

 

 

ଭଦ୍ରଲୋକ—

ମୁଁ ଜାଣିବାକୁ ଚାହୁଁଚି–ଏ ଯେ ଏତେ ଘରପୋଡ଼ି, ପାଣିବୁଡ଼ିରେ ଆପଣମାନେ ସାହାଯ୍ୟ କରୁଚନ୍ତି, ସେସବୁ ଖବର ଆପଣମାନଙ୍କୁ ମିଳୁଚି କିମିତି ?

 

 

ଗଣେଶ—

ଖାଲି cosmic effect ସାହାଯ୍ୟରେ ଆଜ୍ଞା ।

 

 

 

ଭଦ୍ରଲୋକ–ସେ ତ ହେଲା ପ୍ରଚାରର କଥା । ପ୍ରକୃତ ତଥ୍ୟଟା କ’ଣ କହନ୍ତୁନା ।

 

 

ଗଣେଶ—

ଏଁ ପ୍ରକୃତ ତଥ୍ୟ ! [ଗଣେଶ ଚମକି ଉଠିଲା]

 

 

ସୁରେଶ—

ପ୍ରକୃତ କଥା ହେଲା....

 

 

[ସୁରେଶ କ’ଣ କହିବାକୁ ଯାଉଥିଲା, ଗଣେଶ ତାକୁ ଇଙ୍ଗିତରେ ବନ୍ଦ କରିଦେଲା ।]

 

 

ଗଣେଶ—

ଆଜ୍ଞା ସେସବୁ କଥାରୁ ଆପଣ କ’ଣ ପାଇବେ । ଧରିନିଅନ୍ତୁ ଆମେ କୌଣସିମତେ ଜାଣିପାରୁଚୁ ।

 

 

ଭଦ୍ରଲୋକ—

ଦେଖନ୍ତୁ, ଆପଣମାନେ ମତେ ସଂଘର ସଭାପତି ହେବାର ଗୁରୁ ଦାୟିତ୍ୱ ଦେଇଚନ୍ତି; କିନ୍ତୁ ସଂଘର ଏ ସାମାନ୍ୟ କଥା ନେଇ ମତେ ବିଶ୍ୱାସ କରୁନାହାନ୍ତି-। ଏପରି ଅବସ୍ଥାରେ ମୁଁ ଆଉ ଆପଣଙ୍କ ସଂଘର କ’ଣ କରିପାରିବି-? ବରଂ ମୁଁ ଚାଲି ଯାଉଚି ।

 

 

ସୁରେଶ—

ନା, ନା, ଆପଣ ଚାଲିଯିବେ କାଇଁକି । ଆପଣ ଯେତେବେଳେ ସଂଘର ଯାବତୀୟ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଏବଂ ତା’ର ଅତ୍ୟଧିକ ଅଗ୍ରୀମ ସଭ୍ୟଚାନ୍ଦା ସ୍ୱରୂପ ଅର୍ଦ୍ଧଶତ ଟଙ୍କା ଦବାକୁ ସ୍ୱୀକୃତି ଦେଇଚନ୍ତି ଏବଂ ଏ ଶୁଭ ମୁହୂର୍ତ୍ତକୁ ଚିରସ୍ମରଣୀୟ କରିବା ପାଇଁ କୌଣସି ହୋଟଲରେ ଆମକୁ ଭୂରିଭୋଜନରେ ଆପ୍ୟାୟିତ କରିବାକୁ ରାଜି......

 

 

ଭଦ୍ରଲୋକ—

ଖାଲି ସବୁ କଥାରେ ମୁଁ ରାଜି ହେଲେ କ’ଣ ହବ ! ଆପଣମାନେ ତ ମତେ ବିଶ୍ୱାସ କରୁନାହାନ୍ତି ।

 

 

ଗଣେଶ—

ନା, ନା, ଆପଣଙ୍କୁ ଆମର ଆଦୌ ଅବିଶ୍ୱାସ ନାଇଁ । ଖାଲି ଏ ଗୁଇନ୍ଦାଙ୍କ ପ୍ରାଦୁର୍ଭାବ ହେତୁ ଆମେ ସବୁ କଥାଟାକୁ ଟିକେ ସ୍ପଷ୍ଟଭାବରେ କହିବାକୁ ଡରୁଚୁ-। ଆପଣ ଯଦି ସମସ୍ତ ବିଷୟ ଗୁପ୍ତ ରଖିବାକୁ ପ୍ରତିଶ୍ରୁତି ଦିଅନ୍ତି......

 

 

ଭଦ୍ରଲୋକ—

ମୁଁ ପୂରା ପ୍ରତିଶ୍ରୁତି ଦଉଚି ।

 

 

ସୁରେଶ—

ଆପଣ କଥାଟାକୁ ଆଜ୍ଞା ଭଲ କରି ବୁଝି ଯାହା ମତ ଦେବେ । ଆମର ଏଥିରେ କିଛି ଦୋଷ ନାଇଁ ।

 

 

ଗଣେଶ—

ଖାଲି ଏ ପେଟ ଚାଖଣ୍ଡକ ପାଇଁ ଏତେ ଗୋଳମାଳ ଆଜ୍ଞା । କେବଳ bread problem solve ନ କରିପାରି ଆମେ ଏ ସଂଘ ଗଢ଼ିଚୁ । ଆପଣ ଯଦି ଆମ ଖାଇବା ପିଇବାର ଗୋଟେ ବ୍ୟବସ୍ଥା କରିପାରନ୍ତେ........

 

 

ଭଦ୍ରଲୋକ—

ତା’ର ଗୋଟେ ଚିରସ୍ଥାୟୀ ବ୍ୟବସ୍ଥା ମୁଁ ନିଶ୍ଚୟ କରିଦେବି । ଆପଣ କହନ୍ତୁ ଏ ସଂଘର ଗୁପ୍ତ ତଥ୍ୟ କ’ଣ ?

 

 

ଗଣେଶ—

ଆମ ସଂଘଟା ଆଜ୍ଞା ପୃଥିବୀ ମଡ଼େଲରେ ତିଆରି ।

 

 

ଭଦ୍ରଲୋକ—

ତା’ ମାନେ କ’ଣ କମଳାଲେମ୍ୱୁ ପରି ଗୋଲ ?

 

 

ସୁରେଶ—

ନାଁ, ତା’ ନୁହେଁ, ଯେତେବେଳେ ବହୁ ଚେଷ୍ଟା କରି ଆମେ କୌଣସି ଚାକିରି ନ ପାଇଲୁ କି ପେଟ ପୋଷିବାର ଅନ୍ୟ କିଛି ଫନ୍ଦି ନ କରିପାରିଲୁ, ସେତେବେଳେ ଆମେ ଏ ନୂଆ ଦୁନିଆର ଘଟଣାସବୁ ତନ୍ନ ତନ୍ନ କରି ଆଲୋଚନା କଲୁ । ସମସ୍ତେ ଆମ ଦେଶରେ ଚଳୁଚନ୍ତି କିମିତି ? ଏତେ କ’ଣ ବ୍ୟବସାୟ, ଚାକିରି ଅଛି, ଯାହାକି ସମସ୍ତଙ୍କୁ କାମ ଯୋଗାଉଚି ।

 

 

ଗଣେଶ—

ବିଚରା ମଣିଷଗୁଡ଼ିକ ଗଣ୍ଡେ ଗଣ୍ଡେ ଖାଇବେ, ଦିନାକେତେ ଗଲେ ମରିବେ । ୟାଙ୍କର ଏତେ କାମ କ’ଣ ? ଏତେ ଘୁ ଘୁ, ସୁ ସୁ, ଏତେ ଧାଁ ଧପଡ଼, ଏତେ ଦଙ୍ଗା ହେଙ୍ଗାମ କାଇଁକି ? କ’ଣ ପାଇଁ ଏତେ ରେଳ ମଟର ଦୁର୍ଘଟଣା, ଏତେ ଆଇନ ଅଦାଲତର କଟକଣା–

 

 

ଭଦ୍ରଲୋକ—

ପୁଣି କଲେ କ’ଣ ?

 

 

ସୁରେଶ—

ତନ୍ନ ତନ୍ନ କରି ପରୀକ୍ଷା କରି ବୁଝିଲୁ ପୃଥିବୀର ଲୋକେ ନିତି ଗଣ୍ଡା ଗଣ୍ଡା ସମସ୍ୟା ସୃଷ୍ଟି କରୁଚନ୍ତି, ତା’ପରେ ତା’ ସମାଧାନରେ ଲାଗିପଡ଼ୁଚନ୍ତି । ଆଉ ସେ ସରୁ ନ ସରୁଣୁ ପୁଣି ନୂଆ ସମସ୍ୟା ସୃଷ୍ଟି କରି ପୁଣି ତା’ ସମାଧାନ କଥା ବାଢ଼ୁଚନ୍ତି । ପୁଣି ସମସ୍ୟା, ପୁଣି ସମାଧାନ, ପୁଣି ସମାଧାନ, ପୁଣି ସମସ୍ୟା ।

 

 

ଗଣେଶ—

ବିନା କାରଣରେ ଯୁଦ୍ଧ ଲଗେଇ ଦଉଚନ୍ତି, ସେ ସରୁ ନ ସରୁଣୁ ପୁନର୍ଗଠନରେ ଲାଗିପଡ଼ୁଚନ୍ତି । ପୁନର୍ଗଠନ ପୂରା ନ ସରୁଣୁ ପୁଣି ଥରେ ଯୁଦ୍ଧ ଆରମ୍ଭ ହେଇଯାଉଚି...

 

 

ଭଦ୍ରଲୋକ—

ଆପଣମାନେ ତେବେ ନିତି ନୂଆ ନୂଆ ସମସ୍ୟା ସୃଷ୍ଟି କରି......

 

 

ସୁରେଶ—

ତା’ର ସମାଧାନ କରୁଚୁ । ଆପଣଙ୍କ ଅନ୍ଦାଜ ନିହାତି ଠିକ୍‌ ।

 

 

ଭଦ୍ରଲୋକ—

(ବିବ୍ରତ ହୋଇ) ତା’ ମାନେ....ଘରେ ନିଆଁ ଲଗେଇ ତାକୁ ଲିଭେଇବାକୁ ଚେଷ୍ଟା କରୁଚନ୍ତି, ଲୋକଙ୍କୁ ପାଣିକୁ ଠେଲିଦେଇ ତାଙ୍କୁ ପୁଣି ଉଦ୍ଧାର କରୁଚନ୍ତି । ପିଲାଙ୍କୁ ନିଜେ ଲୁଚେଇ ନିଜେ ଖୋଜି ବାହାର କରୁଚନ୍ତି ।

 

 

[ଗଣେଶ ଟିକେ ବିବ୍ରତ ହେଇଉଠିଲା ।]

 

 

ଗଣେଶ—

କଥାଟା...

 

 

ସୁରେଶ—

କଥାଟା ନିରାଟ ସତ ।

 

 

ଭଦ୍ରଲୋକ—

ଚମତ୍କାର ପ୍ରତିଭା ! ତା’ ନ ହେଲେ କି ସମସ୍ୟା-ସମାଧାନ ସଂଘ !

 

 

ସୁରେଶ—

ଆଜ୍ଞା, ଆପଣ ସିନା ସିମିତି ଗୁଣଗ୍ରାହୀ ଲୋକ ବୋଲି ଆମ ପ୍ରତିଭାର ମାହାତ୍ମ୍ୟ ସାଙ୍ଗେ ସାଙ୍ଗେ ବୁଝିଗଲେ, କିନ୍ତୁ ଦେଶ ଜମା ବୁଝୁନି ।

 

 

ଗଣେଶ—

ଦେଶ ଆମ ପ୍ରତିଭା ବୁଝୁଥିଲେ ଆମେ ଇମିତି ଅନାହାରରେ ଦିନ କାଟୁଥାନ୍ତୁ ?

 

 

ଭଦ୍ରଲୋକ—

ନା, ନା, ଦେଶ ଏଣିକି ନିଶ୍ଚୟ ବୁଝିବ । କି କଥା ଏ ! ଏତେ ବଡ଼ ପ୍ରତିଭା କ’ଣ ଅନାବୃତ ହେଇପାରେ ।

 

 

ସୁରେଶ—

କେଜାଣି । ଆପଣଙ୍କ ଭଳି ଉପଯୁକ୍ତ ସଭାପତି ପାଇଲୁଣି, ଏଣିକି ଅବା ଆମ ଦୁଃଖଦୁର୍ଦ୍ଦଶା ଘୁଞ୍ଚିପାରେ ।

 

 

ଭଦ୍ରଲୋକ—

ଦୁଃଖଦୁର୍ଦ୍ଦଶା ନିଶ୍ଚୟ ଘୁଞ୍ଚିବ । ଆଚ୍ଛା, ଆମ ସଂଘ ସମ୍ୱନ୍ଧରେ ଆଉ ଅନ୍ୟ କିଛି ବିଶେଷ ତଥ୍ୟ ଜାଣିବାର ଅଛି ?

 

 

ଗଣେଶ—

ବହୁତ ତଥ୍ୟ ଅଛି ଆଜ୍ଞା । ୟା ଭିତରେ ପଶିଗଲେ, ଆପଣ କାଳକ୍ରମେ ସେସବୁ ଜାଣିପାରିବେ ।

 

 

ଭଦ୍ରଲୋକ—

ତେବେ ତା’ର ଗୋଟେ ମୋଟାମୋଟି ସୂଚନା ମତେ ଦିଅନ୍ତୁ । ମୋର ଉତ୍କଣ୍ଠା ଏତେ ବଢ଼ିଯାଇଚି ଯେ ମୁଁ ତା’ର ଚାପ ସମ୍ଭାଳି ପାରୁନି ।

 

 

ସୁରେଶ—

ଆମେ ଆମର ଏ ସମସ୍ୟା-ସମାଧାନ ନୀତିକୁ କାର୍ଯ୍ୟକାରୀ କରିବାକୁ ଅନେକ ବିଭାଗ ଖୋଲିଚୁ । ପ୍ରଥମେ ହେଲା ଆମ ଚାନ୍ଦା ବିଭାଗ....

 

 

ଭଦ୍ରଲୋକ—

ଚାନ୍ଦା ବିଭାଗ ?

 

 

ଗଣେଶ—

ଆମ ସଂଘର ପ୍ରଥମ କାମ ହେଲା ଚାନ୍ଦା ଆଦାୟ କରିବା । କେବଳ ଆମ ସଂଘର ନୁହେଁ, ଆପଣ ଯେକୌଣସି ସଂଘ ସମିତିର କାର୍ଯ୍ୟକ୍ରମ ପରୀକ୍ଷା କରନ୍ତୁନା ଦେଖିବେ ତା’ର ପ୍ରଧାନ କାମ ହେଲା ଚାନ୍ଦା-ଆ-ଦା-ୟ ।

 

 

ସୁରେଶ—

ତା’ପରେ ଆମ ସଂଘର ଦ୍ୱିତୀୟ ପ୍ରଧାନ କାମ ହେଲା ସେକେଣ୍ଡହାଣ୍ଡ ଜିନିଷର କାରବାର.....

 

 

ଭଦ୍ରଲୋକ—

ସେକେଣ୍ଡହାଣ୍ଡ ଜିନିଷ ପ୍ରତି ଏତେ ମମତା କାଇଁକି ?

 

 

ସୁରେଶ—

ଆମେ ଦେଶବାସୀଙ୍କ ମନସ୍ତତ୍ତ୍ୱ ଗବେଷଣା କରି ଦେଖିଲୁ ସେକେଣ୍ଡହାଣ୍ଡ ଜିନିଷ ଉପରେ ତାଙ୍କର ବିଶେଷ ମମତା । ସାହିତ୍ୟ କହ ସଙ୍ଗୀତ କହ, ଚିତ୍ରକଳା କହ, ନୃତ୍ୟକଳା କହ, ଯଦି ଅନ୍ୟର ହାତଘଷା ଜିନିଷ କିଛି ମିଳିଲା, ତେବେ ତାକୁ ଶସ୍ତାରେ, ସୁବିଧାରେ ଦେଶବାସୀଙ୍କ ଆଗରେ ବାଢ଼ିଦେଲେ ସେ ମହାନନ୍ଦରେ ତାକୁ ଗ୍ରହଣ କରିବେ ।

 

 

ଗଣେଶ—

କିନ୍ତୁ ନୂଆ କିଛି କଥା ଏ ଦେଶରେ ପୂରା ଅଚଳ ।

 

 

ଭଦ୍ରଲୋକ—

ତେଣୁ ଦେଶ କାଳ ପାତ୍ରକୁ ଚାହିଁ ଆପଣମାନେ ଏ ସେକେଣ୍ଡହାଣ୍ଡ ବ୍ୟବସାୟ ଆରମ୍ଭ କରି ଦେଇଚନ୍ତି । ବାଃ, ବାଃ, ଚମତ୍କାର ପରିକଳ୍ପନା । ଆଚ୍ଛା, ଆଉ କିଛି ବିଭାଗ ଅଛି ?

 

 

ସୁରେଶ—

ଅଛି ଆଜ୍ଞା ! ଆମ ସଂଘର ଆଉ ଗୋଟେ ଶାଖା ହେଲା ଦାତବ୍ୟ ବ୍ୟାଙ୍କ ।

 

 

ଭଦ୍ରଲୋକ—

ଦାତବ୍ୟ ବ୍ୟାଙ୍କ ! ତା’ର କାମ ?

 

 

ଗଣେଶ—

ତା’ର କାମ ହେଲା ୟା ପଇସା ନେଇ ତାକୁ ଦେଇ ତା’ ପଇସା ନେଇ ୟାକୁ ଦେଇ ମଝିରେ ନିଜ ମୁନାଫାଟା ମାରିନେବା ।

 

 

ଭଦ୍ରଲୋକ—

ସତେ ! ବଡ଼ ଚମତ୍କାର ବୁଦ୍ଧି ତ !

 

 

ଗଣେଶ—

ଆଜ୍ଞା, ଆମର କ’ଣ ଏଥିରେ କିଛି originally ଅଛି । ଦେଶସାରା ଯାହା କରୁଚନ୍ତି.........

 

 

ଭଦ୍ରଲୋକ—

ଦେଶସାରା କ’ଣ ଏଇଆ କରୁଚନ୍ତି ?

 

 

ସୁରେଶ—

ନିଶ୍ଚୟ ଆଜ୍ଞା ! ଆଚ୍ଛା ଆପଣ ଗୋଟେ ଛୋଟ କଥା ଦେଖନ୍ତୁ; ଆମର ଏ ସହରର ପ୍ରକୃତ ଉତ୍ପାଦନ କ’ଣ ?

 

 

ଭଦ୍ରଲୋକ—

କିଛି ନାଇଁ ।

 

 

ଗଣେଶ—

ଖୁବ୍‌ ବଜାରରେ ଗୁଡ଼ିଏ ଲିଖିତ ବତ୍କୃତା ବା ଗୁଡ଼ିଏ ମୁଦ୍ରିତ ବିବରଣୀ ।

 

 

ସୁରେଶ—

କିନ୍ତୁ ଦୋକାନ କେତେ ?

 

 

ଭଦ୍ରଲୋକ—

ସେ ତ ବହୁତ । ପ୍ରତି ଗଳିରେ ଗଣ୍ଡା ଗଣ୍ଡା, କିନ୍ତୁ ତା’ର ଅର୍ଥ ?

 

 

ଗଣେଶ—

ତା’ର ଅର୍ଥ ହେଲା ଯେ, ନିଜେ କିଛି ନ କରି ପରବୁଦ୍ଧି, ପର ଉତ୍ପାଦନକୁ କାରବାର କରି ପେଟ ପୋଷିବାଟା ହେଲା ଆମ ଦେଶର ଅନେକଙ୍କର ପ୍ରଧାନ କାମ ।

 

 

ସୁରେଶ—

ଆଉ ସେଇ ପେଟ ପୋଷିବା ପାଇଁ ଆମେ ଗଢ଼ିଛୁ ଏ ସଂଘ ।

 

 

ଭଦ୍ରଲୋକ—

ବେଶ୍‍ କରିଚନ୍ତି । ଆଧୁନିକ ସଭ୍ୟତାକୁ ଚାହିଁ ଆପଣଙ୍କ କର୍ମ-ଯୋଜନା ଅତି ଚମତ୍କାର ହେଇଚି । ଆଚ୍ଛା, ଏତିକିରେ ଶେଷ ନା ଆଉ କିଛି ଅଛି ?

 

 

ଗଣେଶ—

ଅଛି ଆଜ୍ଞା, ଆମର ଗୋଟିଏ ବିଶିଷ୍ଟ କାମ ହେଲା ରାଶିଫଳ ଗବେଷଣା ।

 

 

ଭଦ୍ରଲୋକ—

ରାଶିଫଳରେ ଆପଣମାନେ ବିଶ୍ୱାସ କରନ୍ତି ନା କ’ଣ ?

 

 

ସୁରେଶ—

ନ କରିବୁ କିମିତି ଆଜ୍ଞା ! ଆମେ ତ ଦେଶ କାଳକୁ ଚାହିଁ ଆପଣାକୁ ଗଢ଼ୁଚୁ । ଲୋକେ ଆଜିକାଲି ଭଗବାନଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଚନ୍ତି, ହେଲେ...

 

 

ଭଦ୍ରଲୋକ—

ରାଶିଫଳ ଉପରେ ତାଙ୍କର ଅଟଳ ବିଶ୍ୱାସ । କିନ୍ତୁ ଏପରି fatalist ହବା ତ ଦେଶ ପକ୍ଷରେ ମଙ୍ଗଳପ୍ରଦ ନୁହେଁ ।

 

 

ଗଣେଶ—

ଲୋକ କ’ଣ ମଙ୍ଗଳ ଅମଙ୍ଗଳ କଥା ଭାବି କାମ କରୁଚନ୍ତି ? ଚାରିଆଡ଼େ ତ ଅଭାବ ଅନାଟନ ପୂରି ରହିଚି । ତେଣୁ ଏ ରାଶିଚକ୍ର ଫଳାଫଳରେ ଯେତେବେଳେ ବାହାରିପଡ଼ୁଚି ତୁମକୁ ଲଟରୀରୁ ବହୁତ ଟଙ୍କା ମିଳିବ, ଏକ ଅଦୃଶ୍ୟ ହାତ ତୁମକୁ ସାହାଯ୍ୟ କରିବ, ତୁମେ ତୁମ ସ୍ତ୍ରୀଙ୍କ ଆଡ଼ୁ ଅଚଳାଚଳ ସମ୍ପତ୍ତି ପାଇବାର ଆଶା ଅଛି, ଚାକିରିରେ ତୁମକୁ ଆଶୁ ଉନ୍ନତ୍ତି ଅନିବାର୍ଯ୍ୟ-ଲୋକେ ଏଇ ମଧୁରିଆ କଥାଗୁଡ଼ାକ ମାଟିଆ ଖବରକାଗଜରେ ଦେଖି ବିହ୍ୱଳ ହେଇପଡ଼ୁଚନ୍ତି ।

 

 

ସୁରେଶ—

ଆଉ ତାରି ସୁବିଧା ନେଇ ଚତୁର ଲୋକମାନେ ସେମାନଙ୍କ ବହି, ଖବରକାଗଜ ଆଉ ପତ୍ରପତ୍ରିକାରେ ଛାପି ଦଉଚନ୍ତି ଏଇ ରାଶିଫଳ ।

 

 

ଗଣେଶ—

ତେଣୁ ଲୋକେ ତାକୁ ହାଉ ହାଉ କିଣିପକଉଚନ୍ତି ।

 

 

ସୁରେଶ—

ତେଣୁ ଆଧୁନିକ ସଭ୍ୟତାର ଏଇ ନୂତନ ଗୀତା ରାଶିଫଳକୁ ଆମ ସଂଘ ଛାଡ଼ିପାରୁଚି କୁଠି ?

 

 

ଭଦ୍ରଲୋକ—

ନା, ଛାଡ଼ିବେ କାଇଁକି ! ଆଚ୍ଛା ମୁଁ ତେବେ ଯାଏଁ, ଟଙ୍କାପଇସା କିଛି ଘେନି ଆସେ, ହୋଟେଲକୁ ଯିବା ପରା ।

 

 

ସୁରେଶ—

ଟଙ୍କା କ’ଣ ଆପଣ ଆଣି ନାହାନ୍ତି ?

 

 

ଭଦ୍ରଲୋକ—

ନା, ଟଙ୍କା ଭଳିଆ ଜିନିଷକୁ କ’ଣ କିଏ ସାଙ୍ଗରେ ନେଇ ବୁଲେ ? ଆଜିକାଲି ଏ ପକେଟମାର୍‌ ଆଉ ଚାନ୍ଦା ଆଦାୟକାରୀଙ୍କର ଯୁଁ ଉପଦ୍ରବ !

 

 

ଗଣେଶ—

ତେବେ !

 

 

ଭଦ୍ରଲୋକ—

ତେବେ କିଛି ଚିନ୍ତା କରିବା ଦରକାର ନାଇଁ, ମୋ ଘର ଏଇ ଅଳ୍ପ ଦୂରରେ, ମୁଁ ଇଲେ ଆସୁଚି ।

 

 

ସୁରେଶ—

ନାଇଁ ଆପଣ କିଛି ବ୍ୟବସ୍ଥା କରିଦେଇ ଯାନ୍ତୁ । ବକିପଛେ...

 

 

[ଭଦ୍ରଲୋକ ଚାଲିଗଲେ । ଗଣେଶ ସୁରେଶ ବିବ୍ରତହୋଇ ତାଙ୍କ ପିଛା ଧଇଲେ]

 

ଚତୁର୍ଥ ଦୃଶ୍ୟ

 

[ଗଣେଶ ଓ ସୁରେଶ ପ୍ରବେଶ କଲେ]

 

 

ସୁରେଶ—

ହଇରେ ଗଣେଶ ଦା ! ଏ ଲୋକଟା ତ ଆମକୁ ବେଶ୍‌ ଚିକ୍‌ଣିଆ କଥା ଶୁଣେଇଲା, ଆଉ ଅସଲ ବେଳକୁ ମାର ଚମ୍ପଟ୍‌ ।

 

 

ଗଣେଶ—

ଆରେ ଲୋକଟା ଗୁଇନ୍ଦା ଫୁଇନ୍ଦା ନୁହେଁ ତ ? ତତେ ମୁଁ ଆଖି ମାରୁଚି, କିଛି ନ ମାନି ତୁ ସବୁ କଥା କହିଦେଲୁ !

 

 

ସୁରେଶ—

ସେ ତ ଲୋଭ ଦେଖେଇ ବିଶ୍ୱାସ ଜନ୍ମେଇ ଦେଲା । ହୋଟେଲରେ ଖାଇବା ଆଶାରେ ପାଟିଟାତ ନାଳଉଥିଲା । ସେ ଯୁଁ ଏଣୁତେଣୁ ଗୁଡ଼େଇ ତୁଡ଼େଇ ପଚାରିଲା ଅସଲ କଥାଗୁଡ଼ାକ କୌଣସି ବାଧା ନ ମାନି ଆପେ ଆପେ ଭର୍‌ ଭର୍‍ ବାହାରି ଆସିଲା । ତୁ କୁଁ ଛାଡ଼ିଚୁ କି ? ତୁ ତ ବି କଣ୍ଠ ମିଳେଇ ବେଶ୍‌ ବକିଗଲୁ ।

 

 

ଗଣେଶ—

ଆଉ କ’ଣ କରନ୍ତି ? ତୁ ଯେତେବେଳେ କଥାଟା ଆରମ୍ଭ କରିଦେଲୁ, ମୁଁ ତୁଚ୍ଛାଟାରେ ଚିହ୍ନା ପଡ଼ନ୍ତି କାଇଁକି ?

 

 

ସୁରେଶ—

ତେବେ ପୁଣି କ’ଣ କରିବା ଗଣେଶ ଦା ।

 

 

ଗଣେଶ—

ପୁଣି ଗଣେଶ ଦା ! ଦେଖୁଚୁ ଚନ୍ଦନ ପୋଛୁଚୁ କାଠ !

 

 

ସୁରେଶ—

ନା ଭାଇ ଏକ ନମ୍ୱର, ପୁଣି କ’ଣ କରିବା ?

 

 

ଗଣେଶ—

(ଦୂରକୁ ଚାହିଁ) ଏଁ, ଲୋକଟା କାଇଁ ଥାନା ଭିତରକୁ ଗଲାଣି !

 

 

ସୁରେଶ—

ତେବେ ଚାଲ ଏଠୁ ଜଳଦି ଚମ୍ପଟ୍‌ ଦବା । ମତେ ଭାରି ଡର ଡର ଲାଗୁଚି ।

 

 

 

[ଭଦ୍ରଲୋକଟି ଯେଉଁ ଦିଗରେ ଯାଇଥିଲେ ତା’ର ବିପରୀତ ଦିଗରେ ସୁରେଶ ପଳାଇଯିବାକୁ ଉଦ୍ୟମ କଲା ।]

 

 

 

(ଅଟିକି ଯାଇ) ଆରେ ସେ ଦୋକାନୀଟା କ’ଣ ଏପଟେ ଅଇଲାଣି । ଚାଲ ଏପଟେ ଚାଲ-

 

 

ଗଣେଶ—

ଆଉ କୁଁ ପଟେ ଯିବା । ଏପଟେ ଦୋକାନୀ ସେପଟେ ଗୁଇନ୍ଦା । ବରଂ ସମସ୍ୟାର ସମ୍ମୁଖୀନ ହେଇ..........

 

 

ସୁରେଶ—

ଛତୁ ସମ୍ମୁଖୀନ ହବୁ । ତୁ ତ ଜମା ସେ ଦୋକାନୀ ପାଖକୁ ଯାଇନୁ । ସବୁବେଳେ ବାକି ଆଣିବାକୁ ଯାଏ ମୁଁ । ସେ ମତେ ଇଲେ ଠିଆ ଚୋବେଇ ଯିବ ।

 

 

[ସୁରେଶ ଭଦ୍ରଲୋକ ଯାଇଥିବା ବାଟରେ ପଳାଇଗଲା । ପରେ ପରେ ପ୍ରବେଶ କଲା ମଧୁ ସାହୁ ।]

 

 

ମଧୁ ସାହୁ—

କିଓ ବାବୁ, ତୁମ ବନ୍ଧୁ ଜଣକ କୁଆଡ଼େ ଗଲେ ?

 

 

ଗଣେଶ—

କୁଁ ବନ୍ଧୁ ? ଆମର ତ ଏ ଦୁନିଆ ଯାକ ବନ୍ଧୁ ।

 

 

ମଧୁ ସାହୁ—

ନାହିଁ ହୋ, ତୁମ ସେ ସଂଘର ସଭ୍ୟ ସୁରେଶ ବାବୁ ।

 

 

ଗଣେଶ—

ତାକୁ କାଇଁ ଖୋଜୁଚ ?

 

 

ମଧୁ ସାହୁ—

କାଇଁ ଖୋଜୁଚି । କ’ଣ କିଛି ନ ଜାଣିଲା ପରି କହୁଚ । ମୋ ଠଉଁ ଏତେ ଟଙ୍କାର ସଉଦା ବାକିରେ ଖାଇ...... (ଗଣେଶକୁ ଧରି) ଦିଅ ମୋ ଟଙ୍କା ।

 

 

ଗଣେଶ—

କିଓ ତୁମେ ମତେ ଧରୁଚ କାଇଁକି ? ତୁମର ବ୍ୟବସାୟ ଚଳୁନି ବୋଲି ତୁମେ ବାକିରେ ୟାକୁ ତାକୁ ଜିନିଷ ଦଉଚ । ଆଉ ବାକି ରହିଗଲା ବୋଲି ବାହାନା କରି ଜଣେ ଭଦ୍ରଲୋକକୁ ରାସ୍ତାରେ ବେଜିତ୍‌ କରୁଚ କାଇଁକି ?

 

 

ମଧୁ ସାହୁ—

ଭଦ୍ରଲୋକ ! ଆଜି ତ ଟଙ୍କା ନ ଦେଲେ ମୁଁ ଜମା ତୁମକୁ ଛାଡ଼ିବିନି ।

 

 

[ଏହି ସମୟରେ ମଟର ହର୍ଣ୍ଣ ଶୁଣାଗଲା । ପରେ ପରେ ଚିତ୍କାର । ମନେହେଲା ସତେ ଯିମିତି ଜଣେ କିଏ ମଟର ତଳେ ପଡ଼ିଗଲା ।]

 

 

ଗଣେଶ—

(ଦୂରକୁ ଚାହିଁ) ସୁରେଶ !

 

 

[ଗଣେଶ ବିବ୍ରତ ହୋଇ ବାହାରକୁ ଚାଲିଗଲା]

 

 

ମଧୁ ସାହୁ—

ପଳେଇ ଯାଉଚ କୁଆଡ଼େ ? ତୁମକୁ ଆଜି କିଏ ଛାଡ଼ୁଛି ।

 

 

[ମଧୁ ସାହୁ ଗଣେଶର ପଛେ ପଛେ ଗଲା । ସଙ୍ଗେ ସଙ୍ଗେ ପ୍ରବେଶ କଲା ଯୁବକ । ଗଣେଶ ଯିବା ବାଟକୁ ସେ କ’ଣ ତନ୍ନ ତନ୍ନ କରି ଲୟ କଲା । ପରେ ପରେ ପହଞ୍ଚିଲା ଗଣେଶ ସୁରେଶକୁ ଧରି । ମଟର ତଳେ ପଡ଼ି ସୁରେଶ ଭୀଷଣ ଭାବରେ ଆହତ ହୋଇଛି । ଗଣେଶ ତାକୁ ଧରି ବହୁ କଷ୍ଟରେ ଆଣୁଛି ।]

 

 

ଗଣେଶ—

(ସୁରେଶ ପ୍ରତି) ତୁ ଟିକେ ସାବଧାନ ହେଇ ଯାଉନୁ !

 

 

ସୁରେଶ—

(ଧଇଁ ସଇଁ ହେଇ) କ’ଣ କରିବି ଗଣେଶ ଦା ! ସେ ଦୋକାନୀ ଡରରେ ତରତରରେ ତ ଏଠୁ ପଳେଇଗଲି । ଟିକେ ଆଗକୁ ଯାଇ ଦେଖେ ତ............

 

 

(ହଠାତ୍‌ ସୁରେଶ ବନ୍ଦ ହେଇଗଲା)

 

 

ଗଣେଶ—

ଦେଖେ ତ ?

 

 

ସୁରେଶ—

ସେପଟୁ ଆସୁଚି ସେ ଭଦ୍ରଲୋକ ।

 

 

ଗଣେଶ—

ଆସିଲା ତ କ’ଣ ହେଲା ?

 

 

ସୁରେଶ—

ତୁ ତ ଗୁଇନ୍ଦା ବୋଲି କହିଥିଲୁ । ମୁଁ ତ ତା’ ଡରରେ ହଠାତ୍‌ ପଛକୁ ଲେଉଟି ପଡ଼ିଲା ବେଳକୁ ମଟର ମାଡ଼ିଗଲା । ଭାଇ, ଏତେ ବଡ଼ Accident.........

 

 

ଗଣେଶ—

Accidentଟେ ସିନା କରିଦେଲୁ । ନଇଲେ...ଏ ସଣ୍ଡୁଆସୀ ଆକ୍ରମଣରୁ ରକ୍ଷାପାଇବାକୁ ଗୋଟେ Decent ଉପାୟ ମିଳିଲା ।

 

 

ସୁରେଶ—

ମାନେ ?

 

 

ଗଣେଶ—

ମାନେ ଏପଟେ ସେ ଦୋକାନୀ ଆଉ ସେ ଟୋକାଟା, ସେପଟେ ସେ ଭଦ୍ରଲୋକ, ଏମାନେ ଯୁଁ ଅଭିଯାନ ଆରମ୍ଭ କରିଚନ୍ତି ସେଥିରୁ ରକ୍ଷାପାଇବାକୁ ଏ Accident ଆମକୁ ବଡ଼ ସାହାଯ୍ୟ କରିବ । ତାକୁ ଏଡ଼ିବାକୁ ଏକମାତ୍ର ଉପାୟ ଏ Accident.

 

 

ସୁରେଶ—

ଓହୋ । ଗଣେଶ ଦା ! ମୁଁ ଏତେ ବଡ଼ Accidentରେ ପଡ଼ିଲି, ତୁ ଦୁଃଖ ପ୍ରକାଶ କରିବୁ କ’ଣ ପୁଣି ସେଥିରୁ ମୁନାଫା ଉଠେଇବାକୁ ଚେଷ୍ଟା କରୁଚୁ ?

 

 

ଗଣେଶ—

କ’ଣ କରିବା ଭାଇ, ଅବସ୍ଥାଟା ତ ସେଇଆ ହେଇଚି । ନୋହିଲେ ତୋ ପ୍ରତି ମୋର ପୂରା ସହାନୁଭୂତି ଅଛି ।

 

 

[ଏହି ସମୟରେ ମଧୁ ସାହୁ ଓ ଯୁବକ ପହଞ୍ଚିଲେ । ତାଙ୍କୁ ଦେଖି ଗଣେଶ ସୁରେଶକୁ ସଙ୍କେତ ଦେଲା । ସୁରେଶ ସାଙ୍ଗେ ସାଙ୍ଗେ ଆଖି ବନ୍ଦ କରି ପଡ଼ିଗଲା ।]

 

 

(କପଟ ଦୁଃଖରେ) କିରେ ଉଠୁ । ଓଃ କି ଅସୁବିଧା । ମୁଁ ଏବେ ରାସ୍ତାରେ କରେ କ’ଣ । (ମଧୁ ସାହୁ ଓ ଯୁବକଙ୍କ ପ୍ରତି) ଆଚ୍ଛା ବାବୁ, ଆପଣମାନେ କୁଠୁଁ ଜଣେ ଡାକ୍ତରକୁ ଡାକିଲେ । ଓଃ, କି ବିପଦ ।

 

 

ମଧୁ ସାହୁ—

କ’ଣ ବିପଦ ! ଇଲେ ଦୁହେଁ ଯାକ ମୁହଁକୁ ମୁହଁ ଯୋଡ଼ି କଥାବାର୍ତ୍ତା କରୁଥିଲ ଆଉ ଆମକୁ ଦେଖି ଛଟା କାଢ଼ୁଚୁ ।

 

 

ଗଣେଶ—

ଏ ତୁମେ କ’ଣ କହୁଚ ମଉସା, ଏ ଜୀବନ-ମରଣ କଥା । ଏଥିରେ କ’ଣ କିଏ ଛଟା କାଢ଼େ ? ଲୋକଟା ଅଚେତା ହେଇଯାଇଚି ଯେ ମୁଁ ଡାକି ଡାକି ଜବାବ ଦଉନି ।

 

 

ଯୁବକ—

ଆଚ୍ଛା ତୁମେ ବେସ୍ତ ହୁଅନି, ମୁଁ ଯାଉଚି ଜଣେ ଡାକ୍ତର ଡାକିଆଣିବି ।

 

 

ମଧୁ ସାହୁ—

ତୁମେ ଯିବ ଯଦି ଯାଅ, ହେଲେ ମୁଁ ଆଜି ଏଠା ନ ଛାଡ଼େ । ଏତେଦିନେ ଦେଖା ପାଇଚି ।

 

 

ଗଣେଶ—

ତୁମେ ବି ମଉସା ଟିକେ ତାଙ୍କ ସାଙ୍ଗରେ ଯାଅ । ସେ ଏକା ଗଲେ ଡାକ୍ତର ପାଇବେ କି ନ ପାଇବେ । ଦି’ଜଣ ହେଲେ ଦି’ଆଡ଼େ ଯାଇ.......

 

 

ମଧୁ ସାହୁ—

ଦେଖୁଚ, ଦେଖୁଚ ବାବୁ ୟାଙ୍କ ଚାଲାକି । ଆମ ଦିହିଁକି ଏଠୁ ବିଦା କରିଦେଇ ସାଙ୍ଗେ ସାଙ୍ଗେ ମାରିବେ ଚମ୍ପଟ୍‌ ।

 

 

ଯୁବକ—

ଓ !

 

 

ମଧୁ ସାହୁ—

ତୁମେ ୟାଙ୍କୁ ଜାଣିନ ବାବୁ, ଏମାନେ ପରା ହଉଚନ୍ତି ଧୋବଲି ଠକ । ନାନା ବାହାନା ଦେଖେଇ ବହୁ ଲୋକଙ୍କୁ ରାମାନନ୍ଦୀ ଦେଇ ସାରିଲେଣି ।

 

 

ଯୁବକ—

ସତେ ନା !

 

 

ମଧୁ ସାହୁ—

କ’ଣ କହିବି ବାବୁ ସେ ଦୁଃଖ । ଦିନେ ମୋ ଘରେ ନିଆଁ ଲାଗିଲା । ଏମାନେ ନିଜେ ଲଗେଇଥିଲେ ନା କ’ଣ, ନିଆଁ ଲାଗୁ ନ ଲାଗୁଣୁ ସାଙ୍ଗେ ସାଙ୍ଗେ ଦଉଡ଼ି ବାଲ୍‌ଟି ନେଇ ହାଜର ହେଇଗଲେ । କୌଣସିମତେ ଯିମିତି ନିଆଁ ଲିଭିଚି ଲଗେଇଲେ ତ ମୋ ସାଙ୍ଗରେ–ଚାନ୍ଦା ଦିଅ, ଚାନ୍ଦା ଦିଅ ।

 

 

ଯୁବକ—

କେତେ ଚାନ୍ଦା ତୁମଠୁ ନେଲେ ?

 

 

ମଧୁ ସାହୁ—

ଚାନ୍ଦା ମୁଁ ଜମା ଦେଲିନି, ହେଲେ କ’ଣ ହବ । କୁଠି ପଚରା ପଚରି କରି ମୋ ଦୋକାନରେ ପହଞ୍ଚିଗଲେ । ତା’ପରେ ତ ଚଲେଇଲେ ବାକିରେ ସଉଦା ।

 

 

ଯୁବକ—

କେତେ ସଉଦା ବାକିରେ ନେଇଚନ୍ତି ?

 

 

ମଧୁ ସାହୁ—

ବହୁତ ଆଜ୍ଞା । ନାନା ପ୍ରକାର ଭଳେଇ ସଉଦା ଆଣି ଖାଇଲେ । ଆଉ ଯିମିତି ମୁଁ ଟଙ୍କା ପାଇଁ ଜିଗର କରିଚି ଆଉ ତ ଦେଖା ନାହିଁ ।

 

 

ଗଣେଶ—

ଓଃ ! ଇଲେ କ’ଣ ସେ ସବୁ ପକେଇବାର ବେଳ ମଉସା ! ଆଗ ଗୋଟେ ଡାକ୍ତର ଡାକ । ଲୋକଟାର ଜୀବନ ଚାଲିଯାଉଚି ।

 

 

ଯୁବକ—

ଡାକ୍ତର ଫାକ୍ତର କଥା ଛାଡ଼, ମୋ ଜିନିଷଗୁଡ଼ା ଆଗ ଦେଲ ।

 

 

ଗଣେଶ—

କୁଁ ଜିନିଷ ?

 

 

ଯୁବକ—

ମତେ ଚାକିରି ଦବ ବୋଲି କହି ଯୁଁ ଜିନିଷଗୁଡ଼ାକ security ଆକାରରେ ନେଇଥିଲ ? second-hand ଜିନିଷ ମିଳିଲାନି ବୋଲି ମୁଁ ନିହାତି ନୂଆ ଜିନିଷଗୁଡ଼ାକ ଆଣିଦେଲି ।

 

 

ଗଣେଶ—

ସେଗୁଡ଼ାକ ତ ଆମ Security officeରେ ଅଛି ।

 

 

ଯୁବକ—

Security officeରେ ଅଛି ? ଆଜି Sales & servicesର ଗୋଟେ ଲୋକ ଆସି ମୋରି ଜିନିଷ ମତେ ବିକିବ ବୋଲି ବସିଥିଲା !

 

 

ଗଣେଶ—

ଏହେ-ହେ, କି ଖରାପ କଥା ! ଆପଣଙ୍କ ଜିନିଷ ଆପଣଙ୍କୁ ବିକିବ ବୋଲି ବସିଥିଲା ! ବଡ଼ ଆଶ୍ଚର୍ଯ୍ୟ ତ !

 

 

ମଧୁ ସାହୁ—

ଦେଖିଲେ, ଖାଲି ଠକାଠକି କାରବାର । (ଗଣେଶ-ପ୍ରତି) ଦିଅ ମୋ ଟଙ୍କା ।

 

 

ଯୁବକ—

ଦିଅ ମୋ ଜିନିଷଗୁଡ଼ାକ ।

 

 

ଗଣେଶ—

ସେଗୁଡ଼ାକ ତ ତୁମେ ଚାକିରି ପାଇଁ ଦେଇଥିଲ ।

 

 

ଯୁବକ—

କାଇଁକି ଚାକିରି ଦେଲ ?

 

 

ଗଣେଶ—

appointment letter issue କରି ଦେଇଚୁ ।

 

 

ଯୁବକ—

Appointment letter issue କରି ଦେଇଚ ଯେ ଦରମା କାଇଁ ?

 

 

ଗଣେଶ—

ଦରମା ଆମ ସଂଘରେ ଆମେ କାହାକୁ ହାତ ଟେକି ଦଉ ? ୟାରି ଭିତରୁ ଆପଣଙ୍କୁ ଟଙ୍କା ଉଠେଇବାକୁ ପଡ଼ିବ ।

 

 

ଯୁବକ—

ଯିମିତି ଆପଣମାନେ ଉଠଉଚନ୍ତି, ୟାକୁ ଠକି ତାକୁ ଧପେଇ ।

 

 

ଗଣେଶ—

ଆମେ ଏକା କ’ଣ ସିମିତି କରୁଚୁ ? ଦେଶସାରା କରୁଚନ୍ତି ନା । ତା’ ନ ହେଲେ ନାନା ରାଜନୀତିକ, ସାମାଜିକ, ସାଂସ୍କୃତିକ ଆଖଡ଼ା ଖୋଲି ତାରି ସାହାଯ୍ୟରେ ଏତେ ଲୋକ ବଞ୍ଚି ରହିଥାନ୍ତେ କିମିତି ?

 

 

ଯୁବକ—

ସେ କଥା ମୁଁ ଶୁଣିବାକୁ ଚାହେଁନି । ତୁମେ ମୋ ଜିନିଷ ଦିଅ ।

 

 

ମଧୁ ସାହୁ—

ତୁମେ ମୋ ଟଙ୍କା ଦିଅ ।

 

 

 

[ମହିଳା ପ୍ରବେଶ କଲେ]

 

 

ଗଣେଶ—

ଦେଖନ୍ତୁ ଆପଣମାନଙ୍କର ଏଠି ବ୍ୟବହାର । ଗୋଟେ ଲୋକ ଦୁର୍ଘଟଣାରେ ପଡ଼ି ପ୍ରାଣ ଯିବା ଉପରେ.......

 

 

ମହିଳା—

ଓହୋ, କାଇଁ ଆପଣମାନେ ଏଠି ଏଡ଼େ ଭିଡ଼ କରିଛନ୍ତି । ଟିକେ ରାସ୍ତା ଛାଡ଼ି ଠିଆ ହନ୍ତୁ ନା ।

 

 

ଯୁବକ—

ଏଠି ପରା ଗୋଟେ ପ୍ରଦର୍ଶନୀ ହଉଚି ।

 

 

ମହିଳା—

ପ୍ରଦର୍ଶନୀ, କି ପ୍ରଦର୍ଶନୀ, ଫୁଲ, ଫଳ ନା ଗୋ-ମହିଷ ?

 

 

ଯୁବକ—

ନା, ମଣିଷ ପ୍ରଦର୍ଶନୀ !

 

 

ମଧୁ ସାହୁ—

ଏ ପଞ୍ଝେ ଠକ ଆଜ୍ଞା ।

 

 

ମହିଳା—

ଠକ ? (ଗଣେଶ ଓ ସୁରେଶକୁ ଚାହିଁ) ଆରେ ଏ ତ ସେଇ ଲୋକ ।

 

 

ଗଣେଶ—

ଲୋକ ବୋଲି କାହାକୁ କହୁଚନ୍ତି ? ବିଖ୍ୟାତ ସମସ୍ୟା-ସମାଧାନ ସଂଘର ଅନାହାରୀ ସଭ୍ୟଙ୍କୁ....

 

 

ମହିଳା—

(ବ୍ୟଙ୍ଗ କରି) ସଭ୍ୟ !

 

 

ଯୁବକ—

(ମହିଳାଙ୍କ ପ୍ରତି) ଆପଣ ୟାଙ୍କୁ ଚିହ୍ନିଛନ୍ତି ନା କ’ଣ ?

 

 

ମହିଳା—

ହଁ, ଏମାନେ ପରା ଥରେ ମୋ ସାନ ଭଉଣୀକୁ ଲୁଚେଇ ଦେଇ କହିଲେ କିଛି ଚାନ୍ଦା ଦିଅ ଆମେ ତୁମ ଭଉଣୀକୁ ବାହାର କରିଦବୁ ।

 

 

ଯୁବକ—

ଆରେ ଏଡ଼େ ଗୋତ୍ରମାରୁ ଏମାନେ ।

 

 

ମଧୁ ସାହୁ—

ନିଜେ ଡାହାଣୀ ନିଜେ ଗୁଣିଆ ।

 

 

ଯୁବକ—

ଏ ତ ଦେଶର ନାନା ସମସ୍ୟା ସୃଷ୍ଟି କଲେଣି । ୟାଙ୍କୁ ଜବତ ନ କଲେ ଏ ବହୁ ଲୋକଙ୍କୁ ଛାରଖାର କରିଦେବେ ।

 

 

ମଧୁ ସାହୁ—

ୟାଙ୍କୁ ଧର । ଆଗ ଉତ୍ତମ ମଧ୍ୟମ କିଛି ବ୍ୟବସ୍ଥା କରିଦବା ଦରକାର ।

 

 

[ମଧୁ ସାହୁ ଓ ଯୁବକ ଯାଇ ଗଣେଶକୁ ଧଇଲେ]

 

 

ଗଣେଶ—

ଓହୋ ! ରହ, ରହ, ଇମିତି କାଇଁ ହଉଚ । ତୁମମାନଙ୍କର ଟିକେ ସାଧାରଣ ଭଦ୍ରତା ନାଇଁ ।

 

 

ଭଦ୍ରଲୋକ—

(ପ୍ରବେଶ କରି) କିଓ, କଥା କ’ଣ, କାଇଁ ଏଠି ଏତେ ଗୋଳମାଳ ?

 

 

ଗଣେଶ—

ଦେଖନ୍ତୁ ସଭାପତି ଆଜ୍ଞା, ଅଯଥା କିମିତି ରାସ୍ତାରେ ଏମାନେ ଆମକୁ ହଇରାଣ କରୁଚନ୍ତି । ମିଃ ଦୁଇ ନମ୍ୱର ମଟର ଚାପାରେ ପଡ଼ି ମରିବା ଉପରେ ।

 

 

ଭଦ୍ରଲୋକ—

ମରିବା ଉପରେ ? କାଇଁ ତୁମେ ଏଠି କିଛି ସମସ୍ୟା ସୃଷ୍ଟି କରି ସମାଧାନ କରିବାକୁ ଚେଷ୍ଟା କରୁଥିଲ ନା କ’ଣ ?

 

 

ଯୁବକ—

ଆଜ୍ଞା ମତେ ଚାକିରି ଦେବେ ବୋଲି ଆଶା ଦେଇ ମୋ ଠଉଁ ଅନେକ ଜିନିଷ ନେଇଚନ୍ତି ।

 

 

ମଧୁ ସାହୁ—

ମୋ ଠଉଁ ଅନେକ ସଉଦା ବାକିରେ ଖାଇଚନ୍ତି ।

 

 

ମହିଳା—

ଏଇମାନେ ମୋ ଭଉଣୀକୁ ଲୁଚେଇଥିଲେ ଆଜ୍ଞା ।

 

 

ଗଣେଶ—

ସଭାପତିବାବୁ ଏ ଦେଶ ଲୋକଗୁଡ଼ାକ ହଠାତ୍‌ ଇମିତି ତାତି ଉଠିଲେ କାଇଁକି-?

 

 

ମହିଳା—

ନାଁ ଇନ୍‌ସପେକ୍‌ଟର ବାବୁ, ଏମାନେ ମହା ଠକ, ୟାଙ୍କୁ କୌଣସିମତେ ଦଣ୍ଡ ଦବାର ବ୍ୟବସ୍ଥା କରନ୍ତୁ ।

 

 

ଗଣେଶ—

ଇ-ନ୍‌-ସ-ପେ-କ୍‌-ଟ-ର ।

 

 

ସୁରେଶ—

(ଆଖି ସାମାନ୍ୟ ଖୋଲି ଧୀର କଣ୍ଠରେ) ଇ-ନ୍‌-ସ-ପେ-କ୍‌-ଟ-ର !

 

 

ଗଣେଶ—

ସଭାପତିବାବୁ, ଆପଣ ତେବେ ଗୁଇନ୍ଦା ବିଭାଗର ଲୋକ । ଆମେ ଏତେ ବଡ଼ ଅନୁଷ୍ଠାନର ଆପଣଙ୍କୁ ସଭାପତି କଲୁ; କିନ୍ତୁ ଆପଣ ବିଶ୍ୱାସରେ ବିଷ ଦେଲେ ।

 

 

ମଧୁ ସାହୁ—

ଆପଣ ଆଜ୍ଞା କିଛି ନ ଶୁଣି ଏମାନଙ୍କୁ ଆଗ ଥାନାକୁ ନେଇଯାନ୍ତୁ । (ଗଣେଶ ପ୍ରତି) ହେଲେ ଯିବା ଆଗରୁ ମୋ ଟଙ୍କା ଦେଇଯାଅ ।

 

 

ଗଣେଶ—

(ଭଦ୍ରଲୋକ ପ୍ରତି) ଦେଖନ୍ତୁ ଆଜ୍ଞା, ଏଇଟା ଆପଣଙ୍କର କିନ୍ତୁ ମହା ଅନ୍ୟାୟ । ଆପଣ ଆମ ବ୍ରେଡ଼୍‌ ପ୍ରବ୍ଲେମ ସଲ୍‌ଭ କରିବେ ବୋଲି ପ୍ରତିଶ୍ରୁତି ନେଇ.........

 

 

ଭଦ୍ରଲୋକ—

ସେ ପ୍ରତିଶ୍ରୁତି ମୁଁ ନିଶ୍ଚୟ ରଖିବି ।

 

 

ମଧୁ ସାହୁ—

ହଁ, ଜିହଲରେ ଘଣା ପେଲିଲେ, କତା ବାଡ଼େଇଲେ, ସେଠି ବଗଡ଼ା ଭାତ ଆଉ ମୋଟା ମୋଟା ରୁଟି ବେଶ୍‌ ଖାଇବାକୁ ମିଳିବ ।

 

 

ମହିଳା—

ଆପଣ କିଛି ନ ଶୁଣି ଏମାନଙ୍କୁ ଆଗ ଥାନାକୁ ନିଅନ୍ତୁ ।

 

 

ଯୁବକ—

ହଁ, ଥାନାକୁ ନିଅନ୍ତୁ ନଇଲେ ଏମାନେ ଦେଶକୁ ଛାରଖାର କରିଦେବେ ।

 

 

ମଧୁ ସାହୁ—

ଆଏ ଦେଶ କଥା ଛାଡ଼ । ଆଗ ମୋ ଟଙ୍କା, ତୁମ ଜିନିଷ କିମିତି ଆଦାୟ ହବ, ତା’ର ବନ୍ଦୋବସ୍ତ କର ।

 

 

ଯୁବକ—

ଥାନାକୁ ଗଲେ, ସବୁ ବନ୍ଦୋବସ୍ତ ହେଇଯିବ ।

 

 

 

[ପ୍ରବେଶ କଲେ ଗୋବିନ୍ଦ ବାବୁ ଜଣେ କିରାଣି ଶ୍ରେଣୀରେ ଭଦ୍ରଲୋକ । ସେ କୌଣସି କାରଣରୁ ଖୁବ୍‌ ବିବ୍ରତ ଜଣାପଡ଼ୁଚନ୍ତି ।]

 

 

ଗୋବିନ୍ଦ—

(ଧଇଁ ସଇଁ ହୋଇ) ଆଜ୍ଞା, ମହା ବିପଦ ! ଆପଣମାନେ ଟିକେ ଆସନ୍ତୁ ସାହାଯ୍ୟ କରିବେ ।

 

 

ଭଦ୍ରଲୋକ—

କ’ଣ ହେଇଚି ଆପଣଙ୍କର ?

 

 

ଗୋବିନ୍ଦ—

ମୋର କାଇଁ କ’ଣ ହବ ? ଦେଖୁଚନ୍ତି ଜଣେ ସୁସ୍ଥ ସବଳ ଲୋକ !

 

 

ଯୁବକ—

ତେବେ କାହାର କ’ଣ ହେଲା ?

 

 

ମଧୁ ସାହୁ—

ସହରରେ କୁଠି ବାଡ଼ି ପୋଖରୀ ଲାଗିଲା ?

 

 

ଗଣେଶ—

ବାଡ଼ି ପୋଖରୀ କୁଠି ଲାଗିଲା ? ଆମ ସଂଘକୁ ତ କିଛି ଖବର ନାଇଁ । ଦେଶଟା ଯାକ ସମସ୍ତେ ତ ନିଜ କାମ ନେଇ ବ୍ୟସ୍ତ !

 

 

ଗୋବିନ୍ଦ—

କିଏ କାଇଁ ଖବର ଦବ ।

 

 

ମହିଳା—

ଓହୋ, କଥାଟା କ’ଣ କହନ୍ତୁ ନା ମିଛରେ କାଇଁ ଏତେ ଉତ୍କଣ୍ଠା ବଢ଼ଉଚନ୍ତି ।

 

 

ଗୋବିନ୍ଦ—

କ୍ଷମା କରିବେ । ଏ ମହିଳାମାନଙ୍କର କାମ ନୁହେଁ । ତେଣୁ ଅଯଥା ଆପଣ ଏଥିରେ ହସ୍ତକ୍ଷେପ କରନ୍ତୁନି ।

 

 

ଭଦ୍ରଲୋକ—

କିନ୍ତୁ କ’ଣ ହେଲା ତ କହୁନାହାନ୍ତି ।

 

 

ଗୋବିନ୍ଦ—

କ’ଣ କହିବି ! ମୁଁ ତ ଏତେ ଦୂର ବିରକ୍ତ ହେଇଯାଇଚି ଯେ ଛାଡ଼ । ଚାକିରିଟା କରି ତ ମୁଣ୍ଡ ବିକିଦେଲି । ଆଉ ଦେଶ ସେବା କରିବାକୁ ମନ ବିକଳ ହେଲେ କ’ଣ ହବ !

 

 

ମଧୁ ସାହୁ—

ହେଲେ କ’ଣ ହେଲା ?

 

 

ଗୋବିନ୍ଦ—

ହବ ଆଉ କ’ଣ । ଗୋପବନ୍ଧୁ ମଧୁସୂଦନ ତ ଯାଇଥିଲେ, ଆଜି ବି ଆଉ ଜଣେ ଅଜ୍ଞାତ ମହାତ୍ମା ଚାଲିଗଲେ ।

 

 

ଯୁବକ—

କ’ଣ କିଏ ମରିଗଲା ?

 

 

ଗୋବିନ୍ଦ—

ଏ ମରଣ ନୁହେଁ ଆତ୍ମବଳୀ ! ଆତ୍ମବଳୀ ! ପରର ଜୀବନକୁ ରକ୍ଷା କରିବାକୁ ରେଲ ତଳେ ନିଜ ପ୍ରାଣଟା ଦେଲେ ।

 

 

[ଗଣେଶ ଓ ସୁରେଶ ବିବ୍ରତ ହେଇଉଠିଲେ]

 

 

ଗଣେଶ—

କିଏ ସେ ମହାତ୍ମା ?

 

 

ଭଦ୍ରଲୋକ—

କିମିତି ଏ ଦୁର୍ଘଟଣା ଘଟିଲା ?

 

 

ଗୋବିନ୍ଦ—

ଜଣେ ଲୋକ ନିଜର ଛୋଟ ପୁଅଟିକୁ ଧରି ଚଳନ୍ତା ଗାଡ଼ିରେ ଚଢ଼ୁ ଚଢ଼ୁ ପଡ଼ିଯାଇଥାନ୍ତେ । ଏ ବିଚରା ପ୍ଲାଟଫର୍ମରୁ ଦଉଡ଼ି ଯାଇ ତାଙ୍କୁ ରକ୍ଷା କଲେ । କିନ୍ତୁ ନିଜେ ଗାଡ଼ି ତଳେ ପଡ଼ି........

 

 

ଗଣେଶ ଓ ସୁରେଶ—

ଓହୋ ।

 

 

[ଗଣେଶ ଓ ସୁରେଶ କ’ଣ ସନ୍ଦେହ କରି କାନ୍ଦି ଉଠିଲେ ।]

ଯୁବକ—

ଆପଣ କ’ଣ ତାଙ୍କୁ ଷ୍ଟେସନରେ ସେମିତି ଛାଡ଼ିଦେଇ ପଳେଇ ଆସିଲେ ?

ଗୋବିନ୍ଦ—

ନା’ ରିକ୍ସାରେ ପକେଇ ଘେନି ଆସିଲି । ହେଲେ ଶବ ସତ୍କାର ବ୍ୟବସ୍ଥା କରିବାକୁ ଏପଟ ସେପଟ ଅନେକ ହେଲିଣି, କେହି ଜଣେ ସ୍ୱେଚ୍ଛାସେବକ ମିଳୁ ନାହାନ୍ତି ।

ଗଣେଶ—

ସେ ରିକ୍ସା ଏବେ କୁଠି ଅଛି ?

ଗୋବିନ୍ଦ—

ରିକ୍ସା ବାଲାଟା ବି ଶେଷରେ ମଡ଼ା ବୋହିବନି ବୋଲି କହି ସେ ମହାତ୍ମାଙ୍କ ନିର୍ଜୀବ ଦେହଟାକୁ ଫିଙ୍ଗି ଦେଇ.... । ହେଇ ଦେଖୁନାହାନ୍ତି ରାସ୍ତା କଡ଼ରେ.........

ଗଣେଶ—

ତେବେ ଆସନ୍ତୁ ନା ଦେଖିବା ।

 

[ଗଣେଶ ବିବ୍ରତ ହେଇ ଚାଲିଗଲା । ତା’ ପଛେ ପଛେ ଅନ୍ୟ ସମସ୍ତେ ଗଲେ ।]

ସୁରେଶ—

[ସ୍ୱଗତ] ଇମିତି ଅବସ୍ଥାରେ କିଏ ପଡ଼ିଲା । ବୀରେଶଟା ନୁହେଁ ତ !

(ଚାରିଆଡ଼କୁ ଚାହିଁ ଉଠିବାକୁ ଚେଷ୍ଟା କଲା ।) ଓହୋ, ଗୋଡ଼ଟା ତ ଏକଦମ ଜଖମ ହେଇଯାଇଚି ।

[ସୁରେଶ ପଳେଇ ଯିବାକୁ ଚେଷ୍ଟା କଲା । କିନ୍ତୁ ନ ପାରି ଅଟକି ଗଲା । ମହିଳା ଜଣକ ଫେରି ଆସିଲେ ।]

ସୁରେଶ—

(ମହିଳାଙ୍କ ପ୍ରତି) ଆଜ୍ଞା, ଆପଣ ଗଲେନି ?

ମହିଳା—

କୁଆଡ଼େ ?

ସୁରେଶ—

ଏଇ ସେମାନେ ଗଲେନି ! ସେ ଯୁଁ ସଦାଶୟ ଲୋକ ଜଣକ ଅନ୍ୟ ଜଣକୁ ରକ୍ଷା କରିବାକୁ ଯାଇ ନିଜେ ମଲେ ।

ମହିଳା—

ଏଇ ତ ସେମାନେ ତାଙ୍କୁ ଘେନି ଆସୁଚନ୍ତି । ମୁଁ ଭାବୁଚି...

ସୁରେଶ—

କ’ଣ ବୀରେଶ ?

ମହିଳା—

ବୀରେଶ ନ ହେଲେ ବି ଏତେ ବଡ଼ ସାହାସର କାମଟା ତ କଲେ । ଯାହା ହଉ ଘଟଣାଟିରୁ ଅନେକ ଆଶ୍ୱାସନା ମିଳିଲା ।

ସୁରେଶ—

କ’ଣ ?

ମହିଳା—

ଏ ଦେଶରୁ ମହତ୍ତ୍ୱ ପୂରା ଲୋପ ପାଇନି ।

ସୁରେଶ—

ଆଦୌ ନୁହେଁ । ଦେଖୁନାହାନ୍ତି ଆମ ସଂଘ...

 

 

[ସୁରେଶ କ’ଣ ଭାବି ଅଟକିଗଲା]

 

 

(ପ୍ରବେଶ କଲେ ଗଣେଶ, ମଧୁ ସାହୁ, ଯୁବକ, ଭଦ୍ରଲୋକ, ଗୋବିନ୍ଦବାବୁ । ସମସ୍ତେ ବୀରେଶକୁ କାନ୍ଧେଇ ଧରିଛନ୍ତି । ବୀରେଶ ଦେହ ରକ୍ତମୟ, ରୂପ ବିକଳାଙ୍ଗ ।)

 

 

ଗଣେଶ—

ଆମ ସଂଘର ଗୋଟେ ମେରୁ ଚାଲିଗଲା ସୁରେଶ ।

 

 

ସୁରେଶ—

ଏ ତେବେ କ’ଣ ବୀରେଶ ?

 

 

ଗଣେଶ—

ସମସ୍ୟା-ସମାଧାନ ସଂଘର ବୀରେଶ ନ ହେଲେ ଏ ବୀରୋଚିତ କାମ କରନ୍ତା କିଏ ?

 

 

ଭଦ୍ରଲୋକ—

ମାନେ ତୁମେ କାହିବାକୁ ଚାହୁଁଚ, ଏ ତୁମ ସଂଘର ଜଣେ ସଭ୍ୟ ।

 

 

ଗଣେଶ—

ମହାନ୍‌ ସଭ୍ୟ ।

 

 

ଯୁବକ—

ମୁଁ ତେବେ ହଲପ କରି କହିବି ଏ ସେ ଲୋକକୁ ରେଲତଳକୁ ଠେଲିଦେଇ ବଞ୍ଚେଇବାକୁ ଚେଷ୍ଟା କରୁଥିଲେ ।

 

 

ଗୋବିନ୍ଦ—

ବାଃ, ଚମତ୍କାର ବ୍ୟାଖ୍ୟା କଲେ । ସେଥିରେ ୟାଙ୍କ ଲାଭ ?

 

 

ଯୁବକ—

ତାକୁ କହିଥାନ୍ତେ ମୁଁ ତୁମକୁ ଦୈବୀ ଦୁର୍ଘଟଣାରୁ ରକ୍ଷା କଲି, ତୁମେ ଆମ ସଂଘକୁ କିଛି ଚାନ୍ଦା ଦିଅ !

 

 

ଭଦ୍ରଲୋକ—

କ’ଣ ଗଣେଶ ବାବୁ ? ରେଲ ଲାଇନରେ ବି ସମସ୍ୟା ସୃଷ୍ଟି, ସମସ୍ୟା ସମାଧାନ...

 

 

ଗଣେଶ—

ଆପଣ ଏଥିରେ ଜମା ବିଶ୍ୱାସ କରନ୍ତୁନି ସଭାପତି ବାବୁ । ମୁଁ ନିଶ୍ଚୟ କରି କହୁଚି କେବଳ ନିରାଟ ପରୋପକାର କରିବାକୁ ଯାଇ ବୀରେଶ ଆମର ଏ ସହିଦ ଦଶା ଲଭିଲା । ଆଉ ଡେରି କରୁଚୁ କାଇଁକି ସୁରେଶ ! ଆ ଉଠ । ଏ ପୁଣ୍ୟଶ୍ଳୋକ ମହାତ୍ମାଙ୍କର ଶବସତ୍କାର କିପରି ସୁଚାରୁ ରୂପେ ହବ; ତା’ର ବ୍ୟବସ୍ଥା କରାଯିବା ଉଚିତ ।

 

 

ମଧୁ ସାହୁ—

ହେଲେ ମୋ ଟଙ୍କା ।

 

 

[ଗଣେଶ ଓ ସୁରେଶ ବୀରେଶକୁ କାନ୍ଧେଇ ଧରିବାକୁ ଲାଗି ପଡ଼ିଲେ । ସୁରେଶ ଛୋଟଉଥାଏ ।]

 

 

ଗଣେଶ—

(ଅନ୍ୟମାନଙ୍କ ପ୍ରତି) ଆପଣମାନେ ଟିକେ ସାହାଯ୍ୟ କରନ୍ତୁ । ସାମାନ୍ୟ ଅର୍ଥଚିନ୍ତା, ନିରର୍ଥକ ସାଂସାରିକ ଲାଭକ୍ଷତି ବିଚାର ନ କରି ଯାବତୀୟ ଭେଦଭାବ ଭୁଲି ଏ ଜାତୀୟ କାମରେ ଲାଗିପଡ଼ନ୍ତୁ । ବୋଲ ସହିଦ ବୀରେଶ...

 

 

[ମହିଳା, ଗୋବିନ୍ଦବାବୁ ଓ ଯୁବକ ବୀରେଶକୁ ଧଇଲେ ।]

 

 

ସୁରେଶ—

ଜିନ୍ଦାବାଦ୍‌

 

 

[ଗୋବିନ୍ଦ ବାବୁ, ମହିଳା ଓ ଯୁବକ ଜିନ୍ଦାବାଦ୍‍ ଧ୍ୱନି କଲେ]

 

 

ମଧୁ ସାହୁ—

ମୋ ଟଙ୍କା !

 

 

[ଗଣେଶ ଓ ସୁରେଶ ଜିନ୍ଦାବାଦ୍‌ ଧ୍ୱନି କରି ବୀରେଶକୁ ଧରି ଚାଲିଲେ । ଏଥିରେ ଗୋବିନ୍ଦ ବାବୁ, ମହିଳା ଓ ଭଦ୍ରଲୋକ ଯୋଗଦେଲେ, ମଧୁ ସାହୁ ‘‘ମୋ ଟଙ୍କା ମୋ ଟଙ୍କା’’ କହି ତାଙ୍କ ପିଛା ଧଇଲା]

 

 

ଭଦ୍ରଲୋକ—

(ସାମାନ୍ୟ ହସି) ଏ ତ ଆଚ୍ଛା ସମସ୍ୟା ସମାଧାନ ହେଲା !

 

-ଯବନିକା-

Image